ଅଖିଳେଶ ଯାଦବଙ୍କୁ ବିଷ୍ଣୁଙ୍କ ଅବତାର ବୋଲି ମାନନ୍ତି ଏହି ପରିବାର, ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ଏଭଳି କରିବାକୁ କଲେ ପ୍ରତିଜ୍ଞା

224

କନକ ବ୍ୟୁରୋ : ଚଳିତ ଉତ୍ତର ପ୍ରଦେଶ ନିର୍ବାଚନରେ ସମସ୍ତ ରାଜନୈତିକ ଦଳର ସମର୍ଥକମାନେ ସେମାନଙ୍କ ସମର୍ଥିତ ଦଳ ସରକାର ଗଠନ କରିବାକୁ ଦାବି କରୁଛନ୍ତି । ଅନ୍ୟପଟେ କିଛି ରାଜନୈତିକଦଳର ସମର୍ଥକ ମାନେ ନିଜ ସମର୍ଥିତ ଦଳ କିଭଳି କ୍ଷମତାକୁ ଆସିବ ସେ ନେଇ ବି ଭିନ୍ନ ଭିନ୍ନ ତରିକାରେ ପ୍ରଚାର ପ୍ରସାର କରିବା ସହ ପୂଜା ପାଠ କରୁଛନ୍ତି । ଏହି କ୍ରମରେ ଏକ ଅଜବ ଘଟଣା ଉତ୍ତର ପ୍ରଦେଶର ବାରବାଙ୍କୀ ଜିଲ୍ଲାରୁ ଆସିଛି । ଏଠାରେ ସମାଜବାଦୀ ପାର୍ଟିକୁ ସମର୍ଥନ କରୁଥିବା ଏକ ପରିବାର ନିଜଘରେ ସମାଜବାଦୀ ପାର୍ଟିର ମୁଖିଆ ମୁଲାୟମ ସିଂ ଯାଦବ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଫଟୋ ଭଗବାନ ବିଷ୍ଣୁଙ୍କ ଫଟୋ ସ୍ଥାନରେ ରଖି ପୂଜା ପାଠ ଆରମ୍ଭ କରିଦେଇଛନ୍ତି । ଏହି ପୂଜାପାଠ ନିର୍ବାଚନ ଫଳଫଳ ଆସିବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପରିବାର ଲୋକେ କହିଛନ୍ତି ।

ଏହି ପରିବାର ଲୋକେ ଅଖିଳେଶଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ରୂପେ ମାନୁଛନ୍ତି । ଏହି ପରିବାର ଲୋକଙ୍କ କହିବା କଥା କି ଭଗବାନ ବିଷ୍ଣୁ ଅଖିଳେଶ ଯାଦବଙ୍କ ରୂପରେ କଳିଯୁଗରେ ଆର୍ବିଭାବ ହୋଇଛନ୍ତି । ଏହାସହ ଚଳିତ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିକୁ ବହୁମତ ମିଳିିବ ଓ ଅଖିଳେଶ ମୁଖ୍ୟମନ୍ତ୍ରୀ ହେବେ ବୋଲି ଉକ୍ତ ପରିବାରର ଲୋକମାନେ ଦାବି କରିଛନ୍ତି ।

ଏହି ପରିବାରର ମହିଳାମାନଙ୍କ କଥା ଯଦି କୁହାଯିବ ତେବେ ସେମାନେ କହିଛନ୍ତି କି ସମାଜବାଦୀ ପାର୍ଟିର ସରକାର ଗଠନ ନ ହେବା ପର୍ଯ୍ୟନ୍ତ ସେମାନେ ଅନ୍ନ ଗ୍ରହଣ କରିବେ ନାହିଁ । କେବଳ ଫଳ ଖାଇ ଜୀବନ ନିର୍ବାହ କରିବେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି । ଏହାସହ ନିର୍ବାଚନ ଫଳାଫଳ ନଆସିବା ପର୍ଯ୍ୟନ୍ତ ଅଖିଳେଶ ଓ ମୁଲାୟମଙ୍କ ଫଟୋ ଆଗରେ ଏଭଳି ପୂଜାପାଠ ଜାରି ରହିବ ବୋଲି ମହିଳାମାନେ କହିଛନ୍ତି ।