ବିସିସିଆଇକୁ କେତେବେଳେ ଅଧିନାୟକ ପଦ ଛାଡିବା ନେଇ ଜଣାଇଥିଲେ କୋହଲି? ମନାଇବାକୁ ବୋର୍ଡ ପକ୍ଷରୁ ହୋଇଥିଲା କି ଚେଷ୍ଟା?

121

କନକ ବ୍ୟୁରୋ : ଜାନୁଆରୀ ୧୫ରେ କୋହଲି ନେଇଛନ୍ତି ବିରାଟ ନିଷ୍ପତ୍ତି । ଟିମ୍ ଇଣ୍ଡିଆର ଟେଷ୍ଟ ଟିମର ଅଧିନାୟକ ପଦ ଛାଡିବା ସହ କ୍ରିକେଟପ୍ରେମୀଙ୍କୁ ଚକିତ କରିଛନ୍ତି କୋହଲି । ଏହାପୂର୍ବରୁ ଟି-୨୦ ଅଧିନାୟକ ପଦରୁ ହଟି ଯାଇଥିଲେ ବିରାଟ, ପରେ ଦିନିକିଆ ଫର୍ମାଟରୁ ତାଙ୍କୁ ଅଧିନାୟକ ପଦରୁ ବାଦ ଦିଆଯାଇଥିଲା । ଆଉ ଏବେ ଟେଷ୍ଟ ଟିମର ଅଧିନାୟକ ପଦ ଛାଡିବା ସହ ସମସ୍ତଙ୍କୁ ହତଚକିତ କରିଛନ୍ତି କୋହଲି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ହାରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି କୋହଲି । ତେବେ ଚଳିତଥର ବିସିସିଆଇ ପୂର୍ବଭଳି ବିରାଟଙ୍କୁ ଅଟକାଇବାକୁ କୌଣସି ଉଦ୍ୟମ କରିନାହିଁ । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବିରାଟ କୋହଲି ନିଜ ନିଷ୍ପତ୍ତି ବାବଦରେ ଯେତେବେଳେ ବିସିସିଆଇକୁ ଅବଗତ କଲେ ସେତେବେଳେ ବୋର୍ଡ ପକ୍ଷରୁ ଏହାକୁ ସଙ୍ଗେ ସଙ୍ଗେ ସ୍ୱୀକାର କରାଯାଇଥିଲା । ଏପରିକି ଏ ବାବଦରେ ପୁଣିଥରେ ବିଚାର କରିବାକୁ ବିରାଟଙ୍କୁ କୌଣସି ସୁଯୋଗ ଦେଇନଥିଲା ବିସିସିଆଇ ।

ଟ୍ୱିଟରରେ ସେୟାର କରିବା ପୂର୍ବରୁ ବିରାଟ ନିଜର ନିଷ୍ପତ୍ତି ବାବଦରେ ଅପରାହ୍ନରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କୁ ଅବଗତ କରିଥିଲେ । ବିରାଟ ପୂର୍ବରୁ ଏନେଇ ମନ ବଳାଇଥିବାରୁ ବିସିସିଆଇ ପକ୍ଷରୁ ତାଙ୍କୁ ବୁଝାଇବାକୁ ପ୍ରୟାସ କରାଯାଇନଥିଲା । ବୋର୍ଡକୁ ଜଣାଇବା ପୂର୍ବରୁ ନିଜ ସାଥୀ ଖେଳାଳୀଙ୍କୁ ଏବାବଦରେ ଅବଗତ କରିଥିଲେ କୋହଲି । କିନ୍ତୁ ଡ୍ରେସିଂ ରୁମରୁ ଏକଥା ଯେପରି ପଦାକୁ ନ ଯିବ ସେଥିପାଇଁ ଅନୁରୋଧ କରିଥିଲେ କୋହଲି ।