ତୋର ମୋର ଯୋଡି, ବିହି ଦେଇଛି ଗଢି… ରଙ୍ଗ ନମ୍ବରରୁ ପ୍ରେମ, ଦେଖା ଚାହାଁ ପରେ ବାହାଘର । ଆକର୍ଷଣ, ଆତ୍ମୀୟତା ଆଗରେ ହାରମାନିଲା ଉଚ୍ଚତା ।

342

କନକ ବ୍ୟୁରୋ: ତୋର ମୋର ଯୋଡି, ବିହି ଦେଇଛି ଗଢି… ରଙ୍ଗ ନମ୍ବରରୁ ପ୍ରେମ, ଦେଖା ଚାହାଁ ପରେ ବାହାଘର । ଆକର୍ଷଣ, ଆତ୍ମୀୟତା ଆଗରେ ହାରମାନିଲା ଉଚ୍ଚତା । ୩ ଫୁଟ ୩ ଇଞ୍ଚର ପ୍ରେମକୁ ଆପଣାଇନେଲା ୫ ଫୁଟ ୨ ଇଞ୍ଚର ପ୍ରେମିକା । ସାମ୍ନାକୁ ଆସିଲା ସୋର ସିମୁଳିଆ ଅଞ୍ଚଳର ତାପସ, ସଂଯୁକ୍ତାଙ୍କ ପ୍ରେମକାହାଣୀ…

ମୋ ଆଖିର ଆଇନା ତୁ, ମୋ ମନର ମଇନା ତୁ… ତୁ ବି ମୋ ଦିଲର ଧଡକନ । ତୋତେ ଦେଖି ଦେଖି ବିତିଯାଉ ଦିନ ତୁ ଆଜିଠାରୁ ସାଜିଲୁ ଜୀବନ । ପ୍ରେମର ପର୍ବତ ଚଢି ଏବେ ହୃଦୟର ହିମାଳୟରେ ନୂଆ ନୂଆ ସଂସାର କରିଥିବା ଏ ପ୍ରେମୀ ଯୁଗଳଙ୍କ ପ୍ରେମକାହାଣୀ ଟିକେ ନିଆରା । ଏଠି ହୃଦୟ ଦେଖିନି ହାଇଟ୍, ଆକର୍ଷଣ ଦେଖିନି ଉଚ୍ଚତା । ଆତ୍ମୀୟତା ଆଗରେ ଏଠି ହାରମାନିଛି ଶରୀରର ଉଚ୍ଚତା । ଆଉ ସମାଜର ସବୁ ବାଧାବିଘ୍ନ ଭିତରେ ଏକାଠି ହୋଇଛନ୍ତି ତାପସ ଓ ସଂଯୁକ୍ତା ।

୩ ଫୁଟ ୩ ଇଞ୍ଚର ପ୍ରେମକୁ ଆପଣାଇନେଲା ୫ ଫୁଟ ୨ ଇଞ୍ଚର ପ୍ରେମିକା । ଆଜ୍ଞା ହଁ, ଏ ବର କନ୍ୟାଙ୍କ ଉଚ୍ଚତା ଏମିତି । ସ୍ୱାମୀ ସ୍ତ୍ରୀଙ୍କ ଠାରୁ ଉଚ୍ଚତାରେ କମ ଥିଲେ ବି ଏମାନଙ୍କ ପ୍ରେମ କିନ୍ତୁ ଏଭରେଷ୍ଟଠୁ ବି ଉଚ୍ଚ । ରଙ୍ଗ ନମ୍ବରରେ ପ୍ରେମ ପରେ ବାହା ହୋଇ ଦୁହେଁ ଦୁହିଁଙ୍କ ହାତ ନ ଛାଡିବାର ପ୍ରତିଶ୍ରୁତି ଦେଇଛନ୍ତି ।

ବାଲେଶ୍ୱର ସିମୁଳିଆ ବ୍ଲକ କୁଣ୍ଡି ଗାଁର ତାପସ ରାଉତଙ୍କ ଉଚ୍ଚତା କମ ହୋଇଥିବା ବେଳେ ହୋଇଥିବା ରଙ୍ଗ ନମ୍ବରରେ ବାହାନଗାର ସଂଯୁକ୍ତାଙ୍କୁ ପ୍ରେମ କରି ବସିଥିଲେ । କେବେ ବି ଦୁହେଁ ଦୁହିଁଙ୍କୁ କେବେ ଦେଖିନଥିବା ବେଳେ ନିଜ ପ୍ରେମକୁ ସ୍ୱୀକୃତି ଦେବାକୁ ଆଗେଇ ଆସିଥିଲେ । ଦୁହେଁ ଭିନ୍ନ ଜାତି ହୋଇଥିଲେ ବି ଭିନ୍ନତା ଭିତରେ ଦୁହେଁ ଦୁହିଁଙ୍କୁ ନିଜର କରିଥିଲେ । ଆଉ ଗତ ୧୨ ତାରିଖ ହଗ ଡେରେ ହିଁ ହୃଦୟ ଦିଆନିଆ ପରେ ହାତଗଣ୍ଠି ପଡିଥିଲା । ଶିବ ମନ୍ଦିରରେ ବିବାହ କରିବା ପରେ ବେଶ ଖୁସିରେ ଅଛନ୍ତି ତାପସ ସଂଯୁକ୍ତା । ତେବେ ସମାଜ ଯେଉଁଠି ଏମିତି ଉଚ୍ଚନିଚ୍ଚକୁ ଆଡ ଆଖିରେ ଦେଖେନି ସେଠି ନିଜ ପ୍ରେମ ପାଇଁ ଏମାନେ କରିଥିବା ତ୍ୟାଗକୁ ମନେ ରଖିବ ଦୁନିଆ ।