ବଢିବ ଭାରତୀୟ ସେନାର ଶକ୍ତି । ଥରି ଉଠିବ ଶତ୍ରୁ । ଦେଶର ସୈନ୍ୟବାହିନୀକୁ ଶକ୍ତି ଯୋଗାଇବାକୁ ସେନାରେ ସାମିଲ ହେଲା ‘ଅର୍ଜୁନ’ ଟ୍ୟାଙ୍କ 

104

କନକ ବ୍ୟୁରୋ : ବଢିବ ଭାରତୀୟ ସେନାର ଶକ୍ତି । ଥରି ଉଠିବ ଶତ୍ରୁ । ଏଣିକି ଶତ୍ରୁ ଦେଶକୁ କଡା ଜବାବ ଦେବ ଭାରତ । ଦେଶ ଉପରେ ଆକ୍ରମଣ କଲେ ଆଉ ଚୁପ ବସିବନି ଭାରତ । କାରଣ ଦେଶର ସୈନବାହିନୀକୁ ଶକ୍ତି ଯୋଗାଇବାକୁ ଆସି ଯାଇଛି ଅର୍ଜୁନ ମେନ ବ୍ୟାଟେଲ ଟ୍ୟାଙ୍କ ଏମକେ-୧ଏ । ଶତ୍ରୁ ଦେଶକୁ ମାତ ଦେବାକୁ ସେନାରେ ସାମିଲ ହୋଇଛି ଏହି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଟ୍ୟାଙ୍କ ।

ଅର୍ଜୁନ ଟ୍ୟାଙ୍କର ବ୍ୟବହାର ଭାରତୀୟ ସେନା ଅନେକ ବର୍ଷ ହେବ କରି ଆସୁଛି । ହେଲେ ଏବେ ସେନାରେ ସାମିଲ ହୋଇଛି ଏହାର ଅପଗ୍ରେଡ ଭର୍ଜନ । ଏଭଳି ଟ୍ୟାଙ୍କ ସେନାରେ ସାମିଲ କରିବାକୁ ପରାମର୍ଶ ଦିଆଯାଇଥିଲା । ଡିଆରଡିଓ ସେନାର ଏହି ଦାବିକୁ ପୂରଣ କରିବାକୁ ଯାଇ ତିଆରି କରିଛି ଏହି ହଣ୍ଟର କିଲର ଟ୍ୟାଙ୍କ ।

ପୁରୁଣା ଅର୍ଜୁନ ଟ୍ୟାଙ୍କ ତୁଳନାରେ ଏହି ଟ୍ୟାଙ୍କରେ ଅନେକ ପରିବର୍ତ୍ତନ କରାଯାଇଛି । ଏହି ଏମକେ-୧ଏ ଅର୍ଜୁନ ଟ୍ୟାଙ୍କରେ ପ୍ରଖର ଲକ୍ଷ୍ୟ ଭେଦ କରିବାର ଶକ୍ତି ରହିଛି । ଏହାସହ ଶତ୍ରୁଠାରୁ ନିଜକୁ ରକ୍ଷା କରିବାର କବଚ ମଧ୍ୟ ରହିଛି ଏହି ଟ୍ୟାଙ୍କରେ । ଏଥିରେ ଫାୟାର ପାୱାରର ଶକ୍ତି ବଢାଯିବା ସହ ନୂଆ ଟେକ୍ନିକର ବ୍ୟବହାର ମଧ୍ୟ କରାଯାଇଛି । ଏହି ଟ୍ୟାଙ୍କର ସବୁଠାରୁ ବଡ ବିଶେଷତ୍ୱ ହେଉଛି ଏହା ଯୁଦ୍ଧ କ୍ଷେତ୍ରରେ ଥିବା ସବୁ ପଥରକୁ ସଫା କରି ଆଗକୁ ବଢିଥାଏ । ଏହାସହ କେମିକାଲ ଆଟାକରୁ ବଞ୍ଚିବା ପାଇଁ ଏଥିରେ ସେନ୍ସର ମଧ୍ୟ ଲାଗିଛି । ତେଣୁ ଏହି ଟ୍ୟାଙ୍କ ଭାରତୀୟ ସେନାର ଏକ ବଡ ଶକ୍ତି ହେବ ବୋଲି କୁହାଯାଉଛି ।

ମେକ ଇନ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତର ସଫଳତା ଆଡକୁ ଆଉ ଏକ ପାଦ ବଢିଛି ଭାରତ । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଦେଶୀ ଜ୍ଞାନ କୌଶଳରେ ଜିନିଷ ତିଆରି କରିବା ସହ ତାକୁ ବ୍ୟବହାର କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହାରି ମଧ୍ୟରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଟ୍ୟାଙ୍କ ସେନାରେ ସାମିଲ ହେବା ଦେଶ ପାଇଁ ଏକ ବଡ ସଫଳତା ।

କିଛିଦିନ ପୂର୍ବରୁ ରକ୍ଷା ମନ୍ତ୍ରାଳୟ ୧୧୮ଟି ଉନ୍ନତ ଅର୍ଜୁନ ଏମକେ-୧ଏ ଟ୍ୟାଙ୍କ ସେନାରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲେ । ୮ ହଜାର ୪ ଶହ କୋଟି ବଜେଟରେ ଏହି ଟ୍ୟାଙ୍କ ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ହୋଇଛି । ଏହି ଟ୍ୟାଙ୍କର ନିର୍ମାଣ ଓ ବିକାଶ ଡିଆରଡିଓ ଦ୍ୱାରା କରାଯାଇଛି । ଫେବୃଆରୀ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ତାମିଲନାଡୁ ଗସ୍ତରେ ଯାଇ ଏହି ଟ୍ୟାଙ୍କକୁ ସେନା ହାତରେ ଦେଇଛନ୍ତି ।