ସାଙ୍ଗରେ ବସିଲେ ନବୀନ-ଧର୍ମେନ୍ଦ୍ର । ଓଡିଶାର ବିକାଶକୁ ନେଇ ପ୍ରସ୍ତୁତ କଲେ ରୋଡମ୍ୟାପ, ଫୋକସରେ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ।

502

କନକ ବ୍ୟୁରୋ : ନିର୍ବାଚନୀ ଯୁଦ୍ଧ ପରେ ଏବେ ରାଜନେତାଙ୍କ ଅଦିନିଆ ଭେଟଘାଟକୁ ନେଇ ଚର୍ଚ୍ଚା । ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୀତି ଆୟୋଗ ବୈଠକ ପୂର୍ବରୁ ନବୀନ-ଧର୍ମେନ୍ଦ୍ରଙ୍କ ଏହି ଭେଟଘାଟ ବେଶ ଗୁରୁତ୍ୱ ବହନ କରୁଛି ।  ରାଜ୍ୟର ବିକାଶ ପାଇଁ କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଆଲୋଚନା ହୋଇଛି ।

ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନାକୁ ଅଣରାଜନୈତିକ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି ।  କେନ୍ଦ୍ର ସହ ଗଠନମୂଳକ ସହଯୋଗ କରିବୁ ବୋଲି ନବୀନ କହିଛନ୍ତି ।  ବେଶ କିଛି ସମୟର ଆଲୋଚନା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧର୍ମେନ୍ଦ୍ର କହିଛନ୍ତି-ଓଡ଼ିଶାର ବିକାଶ ଦିଗରେ ଏବଂ ଫୋନି ବାତ୍ୟା ପରବର୍ତ୍ତୀ  ସ୍ଥିତିର ମୁକାବିଲା କିଭଳି କରାଯିବ  ସେ ନେଇ ଆଲୋଚନା ହୋଇଛି ।  ଓଡ଼ିଶାର ଯୁବକମାନଙ୍କୁ ରୋଜଗାର ଏବଂ ରାଜ୍ୟର ବିକାଶ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ବୋଲି ଧର୍ମେନ୍ଦ୍ର କହିଛନ୍ତି । ବିଜୁ ବାବୁ ଓ ନବୀନ ବାବୁଙ୍କ ପରେ ମୋତେ ଇସ୍ପାତ ବିଭାଗ ମିଳିଛି । ଦେଶରେ ଇସ୍ପାତ ଶିଳ୍ପ ଉପରେ ଅଧିକ ଫୋକସ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।