ଚଣ୍ଡିଖୋଲଠାରେ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟ ରିଜର୍ଭ ପ୍ରକଳ୍ପ ନେଇ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି । ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅନୁରୋଧ ।
ଏହି ପ୍ରକଳ୍ପ ଯୋଗୁଁ ଆନୁସଙ୍ଗିକ ଶିଳ୍ପ ବିଶେଷ ଭାବରେ ଟ୍ରାଭେଲ୍ ଓ ହସ୍ପିଟାଲିଟି ସେବାର ଆବଶ୍ୟକତାକୁ ବୃଦ୍ଧି କରିବ ।
କନକ ବ୍ୟୁରୋ: ଚଣ୍ଡିଖୋଲଠାରେ ୪ ନିୟୁତ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ନିର୍ମାଣ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ୬,୫୦୦ କୋଟି ଟଙ୍କାର ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାରେ ସହଯୋଗ କରନ୍ତୁ ରାଜ୍ୟସରକାର ବୋଲି ଚିଠିରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
Kanak News is now on WhatsApp
Join and get latest news updates delivered to you via WhatsApp
ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ୬ଟି ପ୍ରସଙ୍ଗରେ ସହଯୋଗ ପାଇଁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ପ୍ରକଳ୍ପକୁ ଇଡକୋ ଦ୍ୱାରା ସିଙ୍ଗିଲ୍ ୱିଣ୍ଡେ ଅନୁମତି ପ୍ରଦାନ ସହ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ୬୦୦ ଏକର ଜମି ତୁରନ୍ତ ପ୍ରଦାନ କରିବା, ବିଜୁଳି ଓ ପାଣିର ବ୍ୟବହାର ପାଇଁ ଅନୁମତି ରାଜ୍ୟ ଖଣି ଓ ଭୂତତ୍ୱ ନିର୍ଦ୍ଦେଶାଳୟର ଅନୁମତି, ପ୍ରସ୍ତାବିତ ଅଂଚଳରେ ପଥର ଖନନ କାମକୁ ବନ୍ଦ କରିବା ଏବଂ ପର୍ଯ୍ୟାବରଣ ଓ ପ୍ରଦୂଷଣ ବୋର୍ଡ଼ର ଅନୁମତି ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜ୍ୟସରକାରଙ୍କ ସାହାଯ୍ୟ ପାଇଁ ଅନୁମତି ଲୋଡ଼ିଛନ୍ତି । ଏହି ପ୍ରକଳ୍ପ ଓଡ଼ିଶାକୁ ବିଶ୍ୱର ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ମାନଚିତ୍ରରେ ଏକ ଗୁରୁତ୍ୱ ସ୍ଥାନ ଦେବ ଏହି ପ୍ରକଳ୍ପରେ ୬,୫୦୦ କୋଟି ଟଙ୍କାର ସିଧା ସିଧା ପୁଞ୍ଜି ନିବେଶ ସହ ପାରାଦ୍ୱୀପ ଠାରେ ପ୍ରତିଷ୍ଠା ହେବାକୁ ଥିବା ପିସି ପିଆଇଆର୍ ପ୍ରକଳ୍ପକୁ ସହଯୋଗୀ ହେବା ସହ ରାଜ୍ୟକୁ ପେଟ୍ରୋଲିୟମ ଉତ୍ପାଦ ଗୁଡ଼ିକର ପେଣ୍ଠସ୍ଥଳୀ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ରାଜ୍ୟରେ ନିଯୁକ୍ତି ସୁଯୋଗର ବଡ଼ ସମ୍ଭାବନା ତିଆରି କରିବ ଏହି ପ୍ରକଳ୍ପ । ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୫ ବର୍ଷ ଧରି ଚାଲିବା ବେଳେ ଦୈନିକ ୪ ହଜାର ଲୋକ କାମ କରିବାର ଆବଶ୍ୟକତା ରହିବ । ଏହି ପ୍ରକଳ୍ପ ଯୋଗୁଁ ଆନୁସଙ୍ଗିକ ଶିଳ୍ପ ବିଶେଷ ଭାବରେ ଟ୍ରାଭେଲ୍ ଓ ହସ୍ପିଟାଲିଟି ସେବାର ଆବଶ୍ୟକତାକୁ ବୃଦ୍ଧି କରିବ । ଏହି ପ୍ରକଳ୍ପ କ୍ରିୟାନ୍ୱୟନ ହେବା ଦ୍ୱାରା ଆନୁମାନିକ ୧୬.୬ ନିୟୁତ ମେଟ୍ରିକ୍ ଟନ୍ ପଥର ବାହାରିବ ଯାହା ସହରାଂଚଳ, ରାଜମାର୍ଗ ଓ ବନ୍ଦର ନିର୍ମାଣର ଭିତିଭୂମି ପାଇଁ ଆବଶ୍ୟକ ହେବ । ଏହି ପଥର ବିକ୍ରି ରାଜ୍ୟସରକାରଙ୍କ ଟିକସ ବୃଦ୍ଧିରେ ସହାୟକ ହେବ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ।