ଅନଲାଇନ୍ ମେଡିସିନ ବିକ୍ରି ଉପରେ ସ୍ୱାସ୍ଥ୍ୟମନ୍ତ୍ରଣାଳୟର କଡା ନଜର, ବନ୍ଦ ହୋଇପାରେ ଅନଲାଇନ ଔଷଧ ବିକ୍ରି !

294

କନକ ବ୍ୟୁରୋ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବେ ଅନଲାଇନ ଔଷଧ ବିକ୍ରି ଉପରେ କଡା ନଜର ରଖିଛନ୍ତି । ଅନଲାଇନରେ ମେଡିସିନ ବିକ୍ରି କରୁଥିବା କମ୍ପାନୀମାନେ ଔଷଧର ଦୂରୋପଯୋଗ କରୁଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆକ୍ସନମୋଡକୁ ଆସିଛି । ଏଏନଆଇର ରିପୋର୍ଟ ମୁତାବକ ଅନଲାଇନ ଔଷଧ ବିକ୍ରେତା କମ୍ପାନୀମାନେ ଏବେ ଯେଉଁ ବିଜନେସ ମଡେଲ ଆପଣାଇଛନ୍ତି ଏହା ଦ୍ୱାରା ଔଷଧର ଭୁଲ ଉପଯୋଗ ହେବା ନେଇ ଅଧିକ ସମ୍ଭାବନା ରହିଛି ।

ସେପଟେ ଅନଲାଇନରେ ଔଷଧ ମଗାଉଥିବା ଗ୍ରାହକମାନଙ୍କର ବ୍ୟକ୍ତିଗତ ଡାଟା ଲିକ୍ ହେବାର ଅନେକ ସମ୍ଭାବନା ରହିଛି । ଏସବୁକୁ ନଜରରେ ରଖି ଡ୍ରଗ୍ସ କଣ୍ଟ୍ରେଲର ଜେନରାଲ ଅଫ୍ ଇଣ୍ଡିଆ ତରଫରୁ ଇଣ୍ଟରନେଟ୍ ମାଧ୍ୟମରେ ଔଷଧ ବିକ୍ରି କରୁଥିବା ଇ-ଫାର୍ମାସୀ କମ୍ପାନୀଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି । ଡିସିଜିଆଇ ତରଫରୁ ଏହି ନୋଟିସ ଫେବୃଆରୀ ମାସ ୮ ତାରିଖରେ ଜାରି କରାଯାଇଛି ।

ଡିସିଜିଆଇ ତରଫରୁ ଜାରି କରାଯାଇଥିବା ନୋଟିସରେ ୨ ଦିନ ମଧ୍ୟରେ ଉତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଡିସିଜିଆଇ କହିଥିଲା କି ଯଦି କାରଣ ଦର୍ଶାଅ ନୋଟିସର ଉତର ନେଦେବେ ତେବେ ସେମାନଙ୍କ ଔଷଧ ବିକ୍ରି ନେଇ ବନା ନୋଟିସରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀଙ୍କ କହିବା ମୁତାବକ ଇ-ଫାର୍ମାସୀ କମ୍ପାନୀମାନେ ୧୯୪୦ ରୁ ଲାଗୁ ହୋଇଥିବା ଡ୍ରଗ୍ସ ଆଣ୍ଡ କସମେଟିକର ବିଭିନ୍ନ ଆଇନକୁ ଉଲଙ୍ଘନ କରୁଛନ୍ତି । ଏନେଇ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ୨୦ରୁ ଅଧିକ ଅନଲାଇନ ଔଷଧ ବିକ୍ରେତା କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି । ଏହା ମଧ୍ୟରେ ଟାଟା୧ଏମଜି, ପ୍ରେକ୍ଟୋ, ଆପୋଲ, ଅମାଜନ ଓ ଫ୍ଲିପକାର୍ଟ ଭଳି କମ୍ପାନୀ ସାମିଲ ଅଛନ୍ତି ।

ଏଆଇଓସିଡି ତରଫରୁ ଜାରି କରାଯାଇଥିବା ଏକ ବୟାନ ମୁତାବକ ଇ-ମେଡିସିନ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ଆଇନ କେବେ ବି ଅନଲାଇନରେ ମେଡିସିନ ବିକ୍ରି ଓ ଏହାର ବିଜ୍ଞାପନକୁ ଅନୁମତି ଦେଇନାହିଁ । ଏହା ଦ୍ୱାରା ନକଲି ଔଷଧ ବିକ୍ରିର ଅଧିକ ସମ୍ଭାବନା ରହିଥିବା କଥା ଏଆଇଓସିଡି କହିଛି ।