ଜାପାନରେ ‘ହଗିବିସ୍’ର ତାଣ୍ଡବ । ପ୍ରଳୟଙ୍କରୀ ସାମୁଦ୍ରିକ ଝଡ ମାଡ ପରେ ୮ ମୃତ, ଟୋକିଓ ସମେତ ଅନେକ ଅଂଚଳରେ ଧ୍ୱଂସର ତାଣ୍ଡବଲୀଳା

569

କନକ ବ୍ୟୁରୋ: ଜାପାନ ଦେଖିଲା ବିଗତ ୬୦ ବର୍ଷରେ ସବୁଠୁ ବଡ ସାମୁଦ୍ରିକ ଝଡ । ଏବେ ଜାପାନରେ ଧ୍ୱଂସର ତାଣ୍ଡବଲୀଳା ଆରମ୍ଭ କରିଛି ଭୟଙ୍କର ସାମୁଦ୍ରିକ ଝଡ ହଗିବିସ୍ । ଫଳରେ ୮ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ତେବେ ଘଂଟା ପ୍ରତି ୨୨୫ କିଲୋମିଟର ବେଗରେ ବହୁଛି ପବନ । ଏହାର ଆଗରେ ପଡୁଥିବା ସବୁକିଛିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଉଛି ‘ହଗିବିସ୍’ । କୁହାଯାଉଛି ଏହା ବର୍ତମାନସୁଦ୍ଧା ସବୁଠାରୁ ବଡ ଟାଇଫୁନ୍ ବା ସାମୁଦ୍ରିକ ବାତ୍ୟା । ଏହି ବାତ୍ୟା ପ୍ରଭାବରେ ଏବେ ଜାପାନରେ ଥିବା ସମସ୍ତ ନଦୀ ଓ ସମୁଦ୍ର ଫୁଲିବାରେ ଲାଗିଛି ।

ସେପେଟ ପ୍ରବଳ ବର୍ଷା ଓ ଝଡତୋଫାନ କାରଣରୁ ବିଭିନ୍ନ ତଳିଆ ଅଂଚଳରେ ଲୋକେ ଏବେ ବିପଦରେ ପଡିଛନ୍ତି । ସାମୁଦ୍ରିକ ଝଡ ମାଡ ହୋଇଛି ସିଜୋଓକା ଅଂଚଳରେ । ତେବେ ଜାପାନ ରାଜଧାନୀ ଟୋକିଓ ପାଇଁ ବଡ ବିପଦ ସୃଷ୍ଟି କରିଛି ହଗିବିସ୍ । ସୂଚନା ଅନୁସାରେ ଆଜି ସକାଳେ ଟୋକିଓରେ ଅଧିକ କ୍ଷତି ପହଁଚାଇଛି ବାତ୍ୟା । ତେବେ ଜାପାନ ସରକାରଙ୍କୁ ଭୟ ଘାରଛି ଫୁକୁସୀମା ଆଣବିକ କେନ୍ଦ୍ରକୁ ନେଇ । ୨୦୧୧ ମସିହାରେ ଭୂକମ୍ପରେ ଅଧିକ ପ୍ରଭାବିତ ହୋଇଥିଲା ଏହି ଆଣବିକ କେନ୍ଦ୍ର । ତେଣୁ ହଗିବିସ୍ ଦ୍ୱାରା ଏହା କ୍ଷତିର ଶିକାର ହେଲେ ଜାପାନ ପାଇଁ ଆଣବିକ ବିକିରଣର ବଡ ବିପଦ ସୃଷ୍ଟି ହେବ । ତେଣୁ ଏହାକୁ କିପରି ସୁରକ୍ଷା ଦେବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ଜାପାନ ସରକାର ।

ଗତ ଶନିବାର ସୁଦ୍ଧା ଟୋକିଓରୁ କେବଳ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଛି । ଶେଷ ଖବର ସୁଦ୍ଧା ହଗିବିସ୍ ୮ ଜଣଙ୍କ ଜୀବନ ନେଲାଣି । ୮୦ରୁ ଅଧିକ ଲୋକ ଆହତ ହୋଇଥିବା ପ୍ରାଥମିକ ରିପୋର୍ଟ ଆସିଛି । ପ୍ରାୟ ୩ ଲକ୍ଷ ଘରୁ ବିଜୁଳି ଓ ଟେଲିଫୋନ୍ ସଂଯୋଗ ବିଛିନ୍ନ ହୋଇଛି । ଜାପାନ ସରକାରଙ୍କ ପାଣିପାଗ ବିଭାଗ ହଗିବିସକୁ ନେଇ ୫ ନଂବର ବିପଦ ସଂକେତ ଜାରି କରିଛନ୍ତି ।