ଶୀତ, କାକରରେ ଡେଲାଙ୍ଗ ତହସିଲ ଅଫିସ ଆଗରେ ସାରାରାତି ଦୁଇ ମହିଳାଙ୍କ ଧାରଣା । ଚାଷଜମି ସମସ୍ୟାର ସମାଧାନ ନହେବାରୁ ଆରମ୍ଭ କଲେ ଆମରଣ ଅନଶନ

ତହସିଲ ଅଫିସ ଆଗରେ ଦୁଇ ମହିଳାଙ୍କ ଆମରଣ ଅନଶନ

65
କନକ ବ୍ୟୁରୋ : ତହସିଲ ଅଫିସ ଆଗରେ ଦୁଇ ମହିଳାଙ୍କ ଆମରଣ ଅନଶନ । ଦେହଥରା ଶୀତରେ ବି ରାତିତମାମ ଜାରି ରଖିଲେ ଧାରଣା । ଏଭଳି ଅଭାବନୀୟ ଚିତ୍ର ଆସିଛି ପୁରୀ ଜିଲ୍ଲା ଡେଲାଙ୍ଗ ତହସିଲ ଅଫିସ ସାମ୍ନାରୁ ।
ନିଜ ହକ ପାଇଁ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଦୌଡି ଦୌଡି ନିରାଶ ହେବାପରେ ଏହିଭଳି କଠୋର ପଦକ୍ଷେପ ନେଇଛନ୍ତି ଦୁଇ ମହିଳା । ଜଣେ ଡେଲାଙ୍ଗ ବ୍ଲକ ଜେନାପୁର ଗାଁର ସସ୍ମିତା ମହାନ୍ତି । ତହସିଲ ଅଫିସରେ ବାରମ୍ବାର ଅଭିଯୋଗ ପରେ ବି ତାଙ୍କ ଜମି ସମସ୍ୟାର ସମାଧାନ ହେଲାନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଅନ୍ୟଜଣେ ଗୁଆଳିପଡା ପଞ୍ଚାୟତ ମାଛପଡା ଗାଁର ବିଜୟ ଲକ୍ଷ୍ମୀ ପ୍ରଧାନ । ଫନି ବାତ୍ୟାରେ ତାଙ୍କ ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲେ ମଧ୍ୟ ୨ବର୍ଷ ହେଲାଣି ସେ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ତେଣୁ ପ୍ରଶାସନିକ ଅଧିକାରୀଙ୍କ କାନରେ ନିଜ କଥା ପହଞ୍ଚାଇବାକୁ ବାଛି ନେଇଛନ୍ତି ପ୍ରତିବାଦର ଏହିଭଳି କଠୋର ବାଟ । ସକାଳୁ ରାତି ଯାଏଁ ବସିବା ପରେ ମଧ୍ୟ କେହି ତାଙ୍କକଥା ଶୁଣିବାକୁ ପାଖକୁ ନଆସିବାରୁ ରାତିତମାମ ପ୍ରବଳ ଶୀତରେ ଏମିତି ବସିରହିଛନ୍ତି ।