ସୋସିଆଲ ମିଡିଆରେ ଦୁଇ ଭଉଣୀଙ୍କ ଝଗଡ଼। ଚର୍ଚ୍ଚାରେ ଦୂତୀ, ସରସ୍ୱତୀଙ୍କ ଫେସବୁକ ପୋଷ୍ଟ

200

କନକ ବ୍ୟୁରୋ:  ଭଉଣୀ ସରସ୍ୱତୀ ଚାନ୍ଦଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଅଲିମ୍ପିଆନ ଦୂତୀ ଚାନ୍ଦ । ଜଣେ ଯୁବତୀଙ୍କ ସହ ସରସ୍ୱତୀଙ୍କ ଏକାଧିକ ଫଟୋକୁ ଫେସବୁକରେ ପୋଷ୍ଟ କରି ଅତି କଡା ଟିପ୍ପଣୀ କରିଛନ୍ତି ଦୂତୀ । ଯୁବତୀଙ୍କ ସହ ସରସ୍ୱତୀଙ୍କ ସଂପର୍କ କ’ଣ ବୋଲି ପ୍ରଶ୍ନ କରିଛନ୍ତି ଦୂତୀ ଚାନ୍ଦ । ଏପରିକି ପୋଲିସ ଅଫିସର ଭାବେ ନିଜ କ୍ଷମତାର ଦୂରୁପଯୋଗ କରି ସରସ୍ୱତୀ ସମ୍ପୃକ୍ତ ଯୁବତୀଙ୍କୁ ଜୋରଜବରଦସ୍ତ ନିଜ ପାଖରେ ରଖିଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି । କାହିଁକି ଗାଁରେ ଥିବା ଘରଛାଡି ସେ ଭୁବନେଶ୍ୱରରେ ଏକ ଭଡାଘରେ ରହୁଛନ୍ତି ବୋଲି ଆହୁରି ପ୍ରଶ୍ନ କରିଛନ୍ତି ।

ଦୂତୀଙ୍କ ଟାର୍ଗେଟ ପରେ ଚିହିଁକି ଉଠିଛନ୍ତି ଭଉଣୀ ସରସ୍ୱତୀ । ସେହି ଫେସବୁକରେ ପ୍ରତିକ୍ରିୟା ରଖି ଦୂତୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି । ଅଲିମ୍ପିଆନ ଦୂତୀ ଚାନ୍ଦ ଏବେ ମନୋରଞ୍ଜନଧର୍ମୀ ଚ୍ୟାନେଲ କଲର୍ସର ରିଆଲିଟି ସୋ ‘ଝଲକ ଦିଖଲା ଜା’ରେ ଜଣେ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଛନ୍ତି । ତେଣୁ ଖେଳଛାଡି ଦୂତୀ ଏବେ ନାଚରେ ମାତିଥିବା ଆକ୍ଷେପ କରିଛନ୍ତି ବଡ ଭଉଣୀ ସରସ୍ୱତୀ । କମନୱେଲଥ ଗେମ୍ସ କିମ୍ବା ଅଲିମ୍ପିକ ମେଡାଲ ଅପେକ୍ଷା ନାଚ ତାଙ୍କୁ ଅଧିକ ସମ୍ମାନ ଦେଇପାରିଛି କି ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି ସରସ୍ୱତୀ ।

ନିକଟରେ ‘ଝଲକ ଦିଖଲା ଜା’ରେ ଦୂତୀ ନାଚି ସାରିବା ପରେ ତାଙ୍କ ପାର୍ଟନର ମଧ୍ୟ ନଜର ଆସିଥିଲେ । ତାଙ୍କ ବାସ୍ତବ ଜୀବନର ସାଥୀ କିଏ ବୋଲି କାର୍ଯ୍ୟକ୍ରମର ହୋଷ୍ଟ ପ୍ରଶ୍ନ କରିବା ପରେ ଭିଡିଓ କଲରେ ହାଜର ହୋଇଥିଲେ ଦୂତୀଙ୍କ ସାଥୀ ମୋନାଲିସା । ନ୍ୟାସନାଲ ଟିଭି ଚ୍ୟାନେଲରେ ଦୁହିଁଙ୍କ ଭିତରେ ଆବେଗଭରା ବାର୍ତାଳାପ ବେସ ଭାଇରାଲ ହେବାରେ ଲାଗିଛି । କ୍ରୀଡା ଜୀବନର ସଫଳତା ସହ ବ୍ୟକ୍ତିଗତ ଜୀବନରେ ଦେଖାଦେଇଥିବା ବିବାଦକୁ ନେଇ ଅଧିକ ଚର୍ଚ୍ଚାରେ ରହିଆସିଛନ୍ତି ଓଡିଶାର ଦୌଡରାଣୀ ଦୂତୀ ଚାନ୍ଦ ।