ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା, ଉତ୍ତରାଖଣ୍ଡରୁ ଦିଲ୍ଲୀ ଯାଏଁ ତାତିଲେ ଜନତା।

99

କନକ ବ୍ୟୁରୋ: ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡକୁ ନେଇ ଜନତାଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡ ଶ୍ରୀନଗର ସ୍ଥିତ ମେଡିକାଲ ମର୍ଗରରେ ଅଙ୍କିତାଙ୍କ ପାର୍ଥିବ ଶରୀର ଥିବାରୁ ସେଠାରେ ହଜାର ହଜାର ଉତ୍ୟକ୍ତ ଲୋକ ଏକାଠି ହୋଇଛନ୍ତି । ଅଙ୍କିତାଙ୍କୁ ନ୍ୟାୟ ଓ ହତ୍ୟାକାରୀଙ୍କୁ ଫାଶି ଖୁଣ୍ଟରେ ଝୁଲାଇ ଦେବାକୁ ଦାବି ଜୋର୍ ଧରିଛି । ହାତରେ ପ୍ଲାକାର୍ଡ, ପୋଷ୍ଟର ଧରି ନ୍ୟାୟ ମାଗୁଛନ୍ତି ଉତ୍ୟକ୍ତ ଜନତା । ଏଥିସହ ପୋଷ୍ଟମର୍ଟମ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି ହେଉଛି । ସେପଟେ ଦିଲ୍ଲୀରେ ଆମ ଆଦମୀ ପାର୍ଟ ପକ୍ଷରୁ ଅଙ୍କିତା ଭଣ୍ଡାରୀଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ନ ଆସିବା ଯାଏଁ ଅନ୍ତିମ ସଂସ୍କାର କରିବେ ନାହିଁ ବୋଲି ପରିବାର ଲୋକ ଅଡି ବସିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ
– ରିସୋର୍ଟକୁ ପ୍ରମାଣ ନଷ୍ଟ କରିବାକୁ ପୁଲିସ ଭାଙ୍ଗି ଦେଇଛି
– ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ ହେଉଛି
– ହତ୍ୟାକାରୀଙ୍କ ପକ୍ଷ ନେଉଛନ୍ତି ରାଜ୍ୟ ସରକାର
– ହତ୍ୟକାରୀଙ୍କୁ ଫାଶି ଖୁଂଟରେ ଝୁଲେଇ ଦିଆଯାଉ

ପ୍ରଶାସନ ପରିବାର ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରୁଛି । ପ୍ରୋଭିଜନାଲ ପୋଷ୍ଟମର୍ଟମ ରିପୋର୍ଟରେ ଅଙ୍କିତାଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ବେଳେ ପାଣିରେ ବୁଡି ଯିବାରୁ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ଏବେ ଫାଇନାଲ ରିପୋର୍ଟକୁ ଅପେକ୍ଷା କରାଯାଇଛି । ପୁଲିସ ଏହି ମାମଲାରେ ନିଲମ୍ବିତ ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କ ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ପୁଲକିତ ଆର୍ଯ୍ୟଙ୍କ ରିସୋର୍ଟରେ ରିସେପସନିଷ୍ଟ ଥିବା ଅଙ୍କିତା ଭଣ୍ଡାରୀଙ୍କୁ ଭିଆଇପି ଅତିଥିଙ୍କ ପାଇଁ ଏକ୍ସଟ୍ରା ସର୍ଭିସ ବା ଶଯ୍ୟାସଙ୍ଗିନୀ ହେବାକୁ ବାଧ୍ୟ କରାଯାଉଥିଲା । ଏବାବଦରେ ନିଜ ସାଙ୍ଗକୁ ଅଙ୍କିତା କରିଥିବା ହ୍ୱାଟସଆପ ଚାଟ୍ ଏବେ ଭାଇରାଲ ହେଉଛି । ଯେଉଁଥିରେ ଅଙ୍କିତା ଲେଖିଛନ୍ତି ସେ ଗରିବ ବୋଲି କଣ ୧୦ ହଜାର ଟଙ୍କାରେ ବିକ୍ରି ହୋଇଯିବେ କି । ପୁଲିସ ହ୍ୱାଟସଆପ ମେସଜକୁ ନେଇ ତଦନ୍ତ ଚଲାଇଛି । ଅନ୍ୟପଟେ ଅଙ୍କିତା ହତ୍ୟା ମାମଲାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ତେଜିଛି ।

ପୁଲକିତ ଆର୍ଯ୍ୟଙ୍କ ରିସୋର୍ଟରେ ରିସେପସନିଷ୍ଟ ଥିବା ଅଙ୍କିତା ଭିଆଇପିଙ୍କ ଶଯ୍ୟାଶାୟିନୀ ହେବାକୁ ମନା କରିବାରୁ ଜୀବନ ହରାଇବାକୁ ପଡିଛି । ଏହାକୁ ନେଇ ଜନତାଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ପ୍ରକାଶ ପାଇଛି । ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି ହେଉଛି