ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ବିପଦ ସାଜୁଛି ପ୍ଲେଟଲେଟ ଅଭାବ। ଗୁରୁତର ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲା କମିଶନରେଟ ପୋଲିସ। 

55

କନକ ବ୍ୟୁରୋ:  ଭଦ୍ରକ ଜିଲ୍ଲାର କୁନି ପିଲାଟି ହସ୍ପିଟାଲ ବେଡରେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବାବେଳେ କମିଶନରେଟ ପୋଲିସର ସହାୟତା ଯୋଗୁଁ ଏବେ ତା ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଦୁଇ ଦିନ ତଳେ ଆଇସିୟୁରେ ଥିବା ଏହି କୁନି ପିଲାର ଅବସ୍ଥା ବିଗିଡି ଯାଇଥିଲା । ଏହି ସମୟରେ ଚିକିତ୍ସା କରୁଥିବା ଡାକ୍ତର ଅଚାନକ କହିଥିଲେ ଅଧ ଘଣ୍ଟା ଭିତରେ ପ୍ଲେଟଲେଟ ଆବଶ୍ୟକ । ଏଥିପାଇଁ ଜଣେ ଡୋନର ଦରକାର । ଡାକ୍ତରଙ୍କ କଥା ଶୁଣି ପିଲାଟିର ବାପା ମୁଣ୍ଡରେ ହାତ ଦେଇଥିଲେ । ଏତେ ଶୀଘ୍ର ପ୍ଲେଟଲେଟ ଦେବା ପାଇଁ କେଉଁଠୁ ଡୋନର ଯୋଗାଡ କରିବେ ତାକୁ ଚିନ୍ତାରେ ପଡିଥିଲେ । ଏତିକିବେଳେ ଖବର ପାଇ ସହାୟତାର ହାତ ବଢ଼ାଇଥିଲା କମିଶନରେଟ୍ ପୋଲିସ । ଆଉ ପ୍ଲେଟଲେଟର ବ୍ୟବସ୍ଥା କରିଥିଲା । ପ୍ଲେଟଲେଟ ନେବା ପରେ ପିଲାଟିର ସ୍ୱାସ୍ଥ୍ୟବସ୍ଥା ପୂର୍ବ ଅପେକ୍ଷା ଭଲ ଥିବା କହିଛନ୍ତି ତାଙ୍କ ବାପା ।

ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡୁଥିବା ରୋଗୀଙ୍କ ପାଇଁ ପ୍ଲେଟଲେଟ ଅଭାବ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ଆଉ ଠିକ୍ ସମୟରେ ପ୍ଲେଟଲେଟ ନମିଳିଲେ ଜୀବନ ଯିବାର ଭୟ ରହିଛି । ଏହାକୁ ଅନୁଭବ କରିବା ପରେ କମିଶନରେଟ ପୋଲିସ ପକ୍ଷରୁ ପୋଲିସ କର୍ମଚାରୀଙ୍କଠାରୁ ପ୍ଲେଟଲେଟ୍ ସଂଗ୍ରହ କରାଯାଉଛି । ଏପରିକି ଆବଶ୍ୟକ ସ୍ଥଳେ ସଂଗେ ସଂଗେ ଯାଇ ପ୍ଲେଟଲେଟ ଦାନ କରୁଛନ୍ତି । ଯାହା ଅନେକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେଉଛି ।

 ଜଣେ ସାଧାରଣ ମଣିଷର ପ୍ରତି ମାଇକ୍ରୋଲିଟର ରକ୍ତରେ ଦେଢ଼ ଲକ୍ଷରୁ ସାଢ଼େ ୪ଲକ୍ଷ ପର୍ଯ୍ୟନ୍ତ ପ୍ଲେଟଲେଟ ରହିବା ଆବଶ୍ୟକ । ସେହିପରି ଜଣେ ଛୋଟ ପିଲାର ରକ୍ତରେ ଦେଢ଼ ଲକ୍ଷରୁ ୩ଲକ୍ଷ ପର୍ଯ୍ୟନ୍ତ ପ୍ଲେଟଲେଟ ରହିବା ଆବଶ୍ୟକ । କିନ୍ତୁ ଡେଙ୍ଗୁ ସମୟରେ ପ୍ଲେଟଲେଟ୍ ସ୍ତର ଦ୍ରୁତ ଗତିରେ ହ୍ରାସ ପାଇଥାଏ । ଯାହା ଅତି ବିପଦଜନକ । ତେଣୁ ଏଭଳି ଏକ ସମୟରେ କମିଶନରେଟ ପୋଲିସ ସହାୟତାର ହାତ ବଢ଼ାଇଥିବାରୁ ପ୍ରଶଂସା କରାଯାଉଛି ।