କରୋନା କବଳରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତା । ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଓ ତାଙ୍କ ପତ୍ନୀ କୋଭିଡ୍ ପିଜିଟିଭ । 

711
କନକ ବ୍ୟୁରୋ: ବିଶ୍ୱ ମହାମାରୀ କରୋନାରେ ସର୍ବାଧିକ ପ୍ରଭାବିତ ଦେଶ ଆମେରିକାରୁ ଶୁକ୍ରବାର ଆସିଛି ସମସ୍ତଙ୍କୁ ଚମକାଇ ଦେଲାଭଳି ଖବର । ବିଶ୍ୱର ସର୍ବବୃହତ ଅର୍ଥନୀତିର ସର୍ବୋଚ୍ଚ ନେତାଙ୍କୁ କରୋନା । ଶୁକ୍ରବାର ସକାଳେ ଏନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଏବଂ ଆମେରିକା ଫାଷ୍ଟଲେଡି ଅର୍ଥାତ ମେଲାନିଆ ମଧ୍ୟ କରୋନା ପଜିଟିଭ ଥିବା ଟ୍ରମ୍ପ ସୂଚନା ଦେଇଛନ୍ତି । ଟେଷ୍ଟ ରେଜଲ୍ଟ ପଜିଟିଭ ଆସିବା ପରେ ଦୁହିଁଙ୍କୁ କ୍ୱାରେଂଟିନ କରିଦିଆଯାଇଛି ।
ଟ୍ୱିଟ କରି ଟ୍ରମ୍ପ ଲେଖିଥିଲେ- 
‘ଆମେରିକା ଫାଷ୍ଟଲେଡି ଓ ମୁଁ କୋଭଡି-୧୯ ପଜିଟିଭ ଚିହ୍ନଟ ହୋଇଛୁ । ଆମେ ତୁରନ୍ତ ଚିକିତ୍ସା ପ୍ରକ୍ରିୟା ଓ କ୍ୱାରେଂଟିନ ଆରମ୍ଭ କରିଦେଉଛୁ । ଆମେ ଦୁହେଁ ଏକାଠି ଏହି ପ୍ରକ୍ରିୟା ଭିତର ଦେଇ ଯିବୁ ।’ ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ ଗୁରୁବାର କରୋନା ପଜିଟିଭ ଥିବା ଜଣାପଡିଥିଲା । ଏହାପରେ ହିଁ ଟ୍ରମ୍ପ ଟ୍ୱିଟ କରି ସୂଚନା ଦେଇଥିଲେ ଯେ, ହୋପ ହକ୍ଟଳର କୋଭଡ ପଜିଟିଭ ଚିହ୍ନଟ ହେବାପରେ ସେ ଓ ପତ୍ନୀ ମାଲେନିଆ ମଧ୍ୟ କୋଭିଡ ପରୀକ୍ଷା କରାଇଛନ୍ତି । ଆମେରିକା ରାଷ୍ଟ୍ରପତି ଏନେଇ ଟ୍ୱିଟ କରି କହିଥିଲେ ।
‘ହୋପ ହିକ୍ସ, ଯିଏକି କୌଣସି ବିରତି ନନେଇ ଖୁବ କଠିନ ପରିଶ୍ରମ କରୁଥିଲେ ଏବେ କୋଭିଡ ୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫାଷ୍ଟଲେଡି ଏବଂ ମୁଁ ମଧ୍ୟ ଟେଷ୍ଟ ରେଜଲ୍ଟକୁ ଅପେକ୍ଷା କରିଛୁ । ଏହାରି ଭିତରେ ଆମେ କ୍ୱାରେଂଟିନ ମଧ୍ୟ ଆରମ୍ଭ କରିଦେବୁ ।’
ଆମେରିକା ରାଷ୍ଟ୍ରପତିଙ୍କ ସହ ନିୟମିତ ଏୟାରଫୋର୍ସ ୱାନରେ ଯାତ୍ରା କରିଥାନ୍ତି ତାଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ । ନିକଟରେ ସେ ମଧ୍ୟ ହ୍ୱାଇଟ ହାଉସର ଅନ୍ୟ ପରିଷ୍ଠ ଅଧିକାରୀଙ୍କ ସହ ପ୍ରେସିଡେଂଟ ଡିବେଟ ଲାଗି କ୍ଲିବଲ୍ୟାଣ୍ଡ ଯାଇଥିଲେ । ହ୍ୱାଇଟ ହାଉସ ପକ୍ଷରୁ ବିବୃତି ଜାରି କରି କୁହାଯାଇଥିଲା ଯେ, ତାଙ୍କ ପାଇଁ ଓ ଆମେରିକାବାସୀଙ୍କ ପାଇଁ କାମ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପ୍ରତି ବେଶ ଯତ୍ନବାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଘରୋଇ କ୍ଷେତ୍ରରେ କାମ କରିବା ପରେ ଏହିବର୍ଷ ହ୍ୱାଇଟ ହାଉସକୁ ଫେରିଥିଲେ ହୋପ ହିକ୍ସ । ଏହାପରେ ତାଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା । ଏହାପୂର୍ବରୁ ସେ ହ୍ୱାଇଟ ହାଉସର ଟେଲି ଯୋଗାଯୋଗ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ । ୨୦୧୬ରେ ଟ୍ରମ୍ପଙ୍କ ରାଷ୍ଟ୍ରପତି କ୍ୟାମ୍ପେନ ପାଇଁ ସେ ପ୍ରବକ୍ତ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ।
ଆମେରିକାରେ କରୋନା ମହାମାରୀର ମୁକାବିଲା କରିବାରେ ଟ୍ରମ୍ପ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ହୋଇଆସୁଛି । ନିଜେ ଡୋନାଲ୍ଡ ଟ୍ରମ୍ପ କୋରନାର ସୁରକ୍ଷା କବଚ ମଧ୍ୟ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳିଛି । ବିଭିନ୍ନ ଆଡୁ ସମାଲୋଚନା ପରେ କେତେକ ସ୍ଥାନରେ ଡୋନାଲ୍ଡ ଟ୍ରମ୍ପ ମାସ୍କ ପିନ୍ଧୁଥିଲେ । ଏପରିକି ତାଙ୍କ ପ୍ରତିପକ୍ଷ ଜୋ ବାଇଡେନଙ୍କ ସହ ପ୍ରଥମ ପ୍ରେସିଡେନସିଆଲ ଡିବେଟରେ ସେ ବାଇଡେନଙ୍କ ମାସ୍କ ପିନ୍ଧିବାକୁ ନେଇ ଟିପ୍ପଣୀ କରିଥିଲେ । ଏବେ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ମାସଟିଏ ବାକିଥିବାବେଳେ ଡୋନାଲ୍ଡ ଟ୍ରମ୍ପ କରୋନା ପଜିଟିଭ ଚିହ୍ନଟ ହେବାସହ ୧୪ ଦିନ ପାଇଁ କ୍ୱାରେଂଟିନରେ ରହିବା ଡେମୋକ୍ରାଟ ପ୍ରାର୍ଥୀଙ୍କ ପାଇଁ ଫାଇଦା ଆଣିଦେବ ବୋଲି ଅନୁମାନ କରାଯାଉଛି ।