କରୋନା ବେଳେ ବିହାର ନିର୍ବାଚନ । ଜାଣନ୍ତୁ, କାହାକୁ ମିଳିବ ଫାଇଦା? କିଏ ଗଢିବ ସରକାର?

448

କନକ ବ୍ୟୁରୋ : ବିହାରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ଅକ୍ଟୋବର ୨୮, ୩ ଓ ନଭେମ୍ବର ୭ରେ ମତଦାନ ରହିଛି । ସେହିପରି ନଭେମ୍ବର ୧୦ରେ ଭୋଟ ଗଣତି ହେବ । ହେଲେ ଏଠି ପ୍ରଶ୍ନ ଉଠୁଛି ଯେ କରୋନା ସମୟରେ ନିର୍ବାଚନର ଆବଶ୍ୟକତା କଣ ରହିଥିଲା । ଯେଉଁଠି ବଡ ବଡ ଦେଶ କରୋନା ପାଇଁ ନିଜ ନିର୍ବାଚନକୁ ବନ୍ଦ ରଖିଛନ୍ତି । ହେଲେ ବିହାରରେ ନିର୍ବାଚନ କାହିଁକି ଏତେ ତରବରିଆ ଭାବେ ହେଉଛି ? ଏହି ସମୟରେ କାହାକୁ ମିଳିବ ବେଶୀ ଫାଇଦା ?

ବିହାର ନିର୍ବାଚନ ଘୁଞ୍ଜାଇବା ପାଇଁ ଆରଜେଡି, କଂଗ୍ରେସ ଓ ଏନଡିଏ ଭଳି ବିପକ୍ଷ ଦଳ ଆବେଦନ କରିଥିଲେ । ହେଲେ ଏହା ମଧ୍ୟରେ ନିର୍ବଚନ ପାଇଁ ତାରିଖ ଘୋଷଣା ହୋଇଯାଇଥିଲା । ତେଣୁ ବିହାରରେ ନିର୍ବାଚନ ପାଇଁ ସରକାରଙ୍କ ହାତ ଅଛି ବୋଲି ଚର୍ଚ୍ଚା ହେଉଛି । ସେହିପରି ବିହାର ସରକାରଙ୍କ ଉପରେ ଅଭିଯୋଗ ଅଛି କି ନିର୍ବାଚନ ମାହୋଲ କରିବା ପାଇଁ ସରକାର କରୋନା ଟେଷ୍ଟ କରିବା କମ କରିଦେଇଥିଲେ ।

ଅନ୍ୟପକ୍ଷରେ ବିହାରରେ ୩ଟି ପ୍ରମୁଖ ଦଳ ରହିଛି । ଏମାନଙ୍କ ମଧ୍ୟର ଯଦି କେହି ୨ ଦଳ ମିଶିଗଲେ ତେବେ ସରକାର କରିବା ନିଶ୍ଚିତ ହୋଇଯିବ । ବର୍ତ୍ତମାନ ରାଜ୍ୟରେ ଜେଡିୟୁ ଓ ବିଜେପି ମିଶିକି ସରକାର କରିଛନ୍ତି । ଏଥର ନିର୍ବାଚନରେ ମଧ୍ୟ ଉଭୟ ସାଙ୍ଗରେ ଅଛନ୍ତି । ହେଲେ ଏଥର ଆରଜେଡି ଓ କଂଗ୍ରେସ ମିଶି ମହାଗଠବନ୍ଧନ କରିଛନ୍ତି । ତଥାପି ଏଥିରେ ବିଜେପିର ପଲ୍ଲା ଭାରି ରହିବ ।

କିନ୍ତୁ ଏଥର ଛୋଟ ଛୋଟ ଦଳ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି । ଯେମିତି ରାମ ବିଲାସପାଶୱାନଙ୍କ ଏଲଜେପି ଏଥର ଜେଡିୟୁ ସହ ମିଶିବାକୁ ଚାହୁଁନାହିଁ ହେଲେ ବିଜେପି ସହ ଯିବାକୁ ଚାହୁଁଛି । ଅନ୍ୟପକ୍ଷ ବିଜେପି ଏଥର ମଧ୍ୟ ଜେଡିୟୁର ନୀତିଶକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି । କାରଣ ଚଳିତ ନିର୍ବଚନ ନୀତିଶ କୁମାରଙ୍କ ଶେଷ ନିର୍ବାଚନ ହୋଇପାରେ । ଏହାପରେ ବିହାର ଉପରେ ବିଜେପିର ଅକ୍ତିଆର ରହିବ ।

ତେଣୁ ଦେଖିବାକୁ ଗଲେ ଏହି ନିର୍ବାଚନରେ ସରକାରଙ୍କୁ ଅର୍ଥାତ ବିଜେପି ଓ ଜେଡିୟୁକୁ ପୂରା ଫାଇଦା ମିଳିବ । ତେଣୁ ସରକାର ଏହି ସମୟରେ ନିର୍ବାଚନ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।