ଗଣତନ୍ତ୍ର ଦିବସ ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା । ସକାଳ ସାଢେ ୬ଟାରୁ ସକାଳ ୯ଟା ସାଧାରଣ ଲୋକଙ୍କୁ ଗାନ୍ଧୀ ମାର୍ଗ ମନା

214

କନକ ବ୍ୟୁରୋ: ଜାନୁଆରୀ ୨୬ ତାରିଖରେ ସାରା ଦେଶ ପାଳିବାକୁ ଯାଉଛି ଗଣତନ୍ତ୍ର ଦିବସ । ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ମଧ୍ୟ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ବିଶେଷକରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସୋମବାର କମିଶନରେଟ୍ ପୋଲିସ ଏଥିପାଇଁ ଟ୍ରାଫିକ୍ ରୁଟ୍ ଧାର୍ଯ୍ୟ କରିଛି । ପୋଲିସର ସୂଚନା ମୁତାବକ ଆସନ୍ତାକାଲି ସକାଳ ସାଢେ ୬ଟାରୁ ସକାଳ ୯ଟା ପର୍ଯ୍ୟନ୍ତ କୌଣସି ଗାଡି ମହାତ୍ମାଗାନ୍ଧୀ ମାର୍ଗ ଦେଇ ଯିବା ଆସିବା କରିପାରିବ ନାହିଁ । କେବଳ ସ୍ୱତନ୍ତ୍ର ଭାବେ ଅନୁମତି ଥିବା ଗାଡିକୁ ଏହି ରାସ୍ତା ଦେଇ ଛଡାଯିବ ।

ଏହାସହ ଯେଉଁ ଗାଡିଗୁଡିକ ହାଉସିଂ ବୋର୍ଡ ଛକରୁ ରବୀନ୍ଦ୍ର ମଣ୍ଡପ ଆଡକୁ ଯାଉଥିବ ସେଗୁଡିକ କେଶରୀ ହଲରୁ ବାମ କଡ ଦେଇ ଯିବେ। ସେହିପର ଏଜି ଛକରୁ ପିଏଜି ଛକ ଆଡେ ଯାଉଥିବା ଗାଡି ଜୟଦେବ ଭବନରୁ ଇଡକଲ୍ ଅଡିଟୋରିୟମ ରାସ୍ତା ଦେଇ ଯିବେ । ୧୨୦ ବାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ଗାଡି ଗୁଡିକ ଏମଏଲଏ କଲୋନୀ ଦେଇ ଯିବେ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ଏହାବାଦ୍ ଜନପଥରୁ ମହାତ୍ମାଗାନ୍ଧୀ ମାର୍ଗକୁ କୌଣସି ଗାଡିକୁ ଛଡା ଯିବନି।