ପୋଲିସ ବାବୁଙ୍କ ପରିବାର ଉପରେ ଦଫା ଲଗାଇଲା ପୋଲିସ । ଏଡିଜିଙ୍କ ଝିଅଙ୍କ ଦୁର୍ବ୍ୟବହାର ବିରୋଧରେ ଥାନାରେ ମାମଲା କଲେ ମହିଳା ଟ୍ରାଫିକ କନଷ୍ଟେବଳ

52

କନକ ବ୍ୟୁରୋ : ପୋଲିସ ବିରୋଧରେ ପୋଲିସ କରିବ ତଦନ୍ତ । ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ପରିବାର ବିରୋଧରେ ଥାନାରେ ମାମଲା ରୁଜୁ ହେବା ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱର ଏଜି ଟ୍ରାଫିକ ଛକରେ ଏଡିଜିଙ୍କ ପରିବାର ଏବଂ ମହିଳା କନଷ୍ଟେବଳଙ୍କ ମଧ୍ୟରେ ବଚସା ପରେ ମାମଲା ଥାନାରେ ପହଂଚିଛି । ମହିଳା କନଷ୍ଟେବଳ ଜଣଙ୍କ ଥାନାରେ ମାମଲା ରୁଜୁ କରିଥିଲେ । ପୋଲିସ କହିଛି କାହାର ଭୁଲ ରହିଲା ଏବଂ କିଏ କାହାକୁ ମାଡ ମାରିଲା ତାର ତଦନ୍ତ ହେବ । ସିସିଟିଭି ସତ କହିବ ।

ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ପାଇଁ ଭୁବନେଶ୍ୱର ଏଜି ଛକରେ ଟ୍ରାଫିକ ପୋଲିସ ଯେଉଁ ପଦକ୍ଷେପ ନେଲା ଏବଂ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପରିବାର ଯେଉଁ ହାଇଭୋଲଟେଜ ଡ୍ରାମା କଲେ ତାହା ଏବେ ନ୍ୟାୟିକ ଲଢେଇରେ ପରିଣତ ହୋଇଛି । କାରଣ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ଝିଅଙ୍କ ଦୁର୍ବ୍ୟବହାର ବିରୋଧରେ ଥାନାରେ ଏତଲା ଦେଇଛନ୍ତି ଘଟଣାସ୍ଥଳରେ ମୁତୟନ ମହିଳା ଟ୍ରାଫିକ କନଷ୍ଟେବଳ । ପୋଲିସ କହିଛି କାହାର ଭୁଲ ରହିଲା, କିଏ କାହାକୁ ମାଡ ମାରିଲା ବା ଦୁର୍ବ୍ୟବହାର କଲା ତାର ତଦନ୍ତ କରାଯିବ ଏବଂ ସିସିଟିଭି ଫୁଟେଜ ସତ ସାମ୍ନାକୁ ଆଣିବ ।
ଯୁବତୀଙ୍କ ବିରୋଧରେ ଦଫା
– ୩୪୧ ଅର୍ଥାତ- କାହାରିକୁ କାମ କରିବାରେ ବାଧା ଦେବା
– ୩୫୩ ଅର୍ଥାତ- କର୍ତ୍ତବ୍ୟରତ କର୍ମଚାରୀଙ୍କୁ କାମ ସଂପାଦନରେ ଅସୁବିଧା ସୃଷ୍ଟି କରିବାର ଅପରାଧ
– ୨୯୪ ଅର୍ଥାତ- ଗାଳି ଗୁଲଜ କରିବା ବା ଅପଶବ୍ଦ ପ୍ରୟୋଗ କରିବା
– ୩୪ ଆଇପିସି ଅର୍ଥାତ- ଏକଧିକ ବ୍ୟକ୍ତି ସମାନ ଉଦ୍ଦେଶ୍ୟ ରଖି କୌଣସି କାମ କରିବା

ଆଡିସନାଲ ଡିଜିଙ୍କ ଝିଅ ଯେତେବେଳେ ରାସ୍ତା ମଝରେ କର୍ତବ୍ୟରତ ପୋଲିସ କର୍ମଚାରୀଙ୍କ ସହ ପାଟିତୁଣ୍ଡ କରୁଥିଲେ ପାଖରେ ଉପସ୍ଥିତ ଥିଲେ ତାଙ୍କ ମାଆ । କିଛି ସମୟ ମଧ୍ୟରେ ପହଞ୍ଚିଥିଲେ ନିଜେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ । କୁହାଯାଉଛି ବାପାଙ୍କ ପଦବୀର ଭୟ ଦେଖାଇ ତାଙ୍କୁ ଅଟକାଇ ଦେଇଥିବା ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ଚାକିରି ଛଡାଇ ନେବାର ଧମକ ବି ଦେଇଥିଲେ ଝିଅ । ମୁଖ୍ୟମନ୍ତ୍ରୀଙ୍କ କାରକେଡ ପାଇଁ ରାସ୍ତା ଖାଲି କରିବାକୁ ଉପରିସ୍ଥ ଅଧିକାରୀଙ୍କଠୁ ନିର୍ଦ୍ଦେଶ ପାଇଥିବା ଜଣେ ତଳିଆ କର୍ମଚାରୀ କରିଥାନ୍ତେ କ’ଣ? ଏଡିଜିଙ୍କ ଭୟ ଦେଖାଇ ଧମକାଉଥିବା ଝିଅ ଆଗରେ ନଇଁ ନଯାଇ ବରଂ ନିଜ କାମ ସଂପାଦନ କରିଥିଲେ ଯେଉଁଥିପାଇଁ ସାଧାରଣରେ ତାଙ୍କ ପ୍ରତି ସମବେଦନା ବଢିବାରେ ଲାଗିଛି । କୁହାଯାଉଛି ସଂପୃକ୍ତ ମହିଳା ଟ୍ରାଫିକ କନଷ୍ଟେବଳ ତାଙ୍କୁ ମାଡ ମାରିଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ଏଡିଜିଙ୍କ ଝିଅ ।

ଗୁରୁବାର ଏଡିଜିଙ୍କ ଝିଅଙ୍କ ସହ ଯୁକ୍ତିତର୍କ କରୁଥିବା ପୋଲିସ କର୍ମଚାରୀ ପ୍ରଣବିନ୍ଦୁ ଆଚାର୍ଯ୍ୟ ପହଂଚିବା ପରେ ଚୁପ ହୋଇଯାଇଥିବା କୁହାଯାଉଛି । ଏପରିକି ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖିବାକୁ ଚାହୁଁନାହାନ୍ତି ଏହି ମହିଳା ପୋଲିସ କର୍ମଚାରୀ । ତେଣୁ ପ୍ରଶ୍ନ ଉଠୁଛି ସିସିଟିଭି ଫୁଟେଜ ଯାଂଚ ପରେ କଣ ସତ ସାମ୍ନାକୁ ଆସିବ ? ରାଜ୍ୟ ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ପରିବାର ସଦସ୍ୟଙ୍କୁ ସମନ କରିପାରିବ ପୋଲିସ ବିଭାଗ?