ଦିଲ୍ଲୀ ହିଂସାକାଣ୍ଡ ପରେ ଚାଷୀ ଆନ୍ଦୋଳନକୁ ଲାଗିଲା ଝଟକା : ଫେବ୍ରୁଆରୀ ୧ରେ ସଂସଦ ମାର୍ଚ୍ଚ ବାତିଲ

ସେପଟେ ଆନ୍ଦୋଳନରୁ ଓହରିଲା ରାଷ୍ଟ୍ରୀୟ କୃଷକ ମଜଦୁର ସଂଗଠନ ଓ ଭାରତୀୟ କିଷାନ ୟୁନିୟନ; ହିଂସାକାଣ୍ଡ ନେଇ ୫୦୦ ଆକାଉଂଟ ହଟାଇଲା ଟୁଇଟର

174

କନକ ବ୍ୟୁରୋ : ଚାଷୀଙ୍କ ସଂସଦ ଭବନ ମାର୍ଚ୍ଚ ବାତିଲ । ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲିବେଳେ ହିଂସାକାଣ୍ଡ ପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର । ଏହାକୁ ଦେଖି ଆଗାମୀ ବଜେଟ୍ ଅଧିବେସନରେ, ଚାଷୀମାନେ ସଂସଦ ଭବନ ମାର୍ଚ୍ଚ କରିବାକୁ ପୂର୍ବରୁ ଘୋଷଣା କରିଥିଲେ । ଅର୍ଥାତ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା ଚାଷୀ, ଫେବ୍ରୁଆରୀ ୧ ତାରଖରେ ସଂସଦ ଭବନ ଯାଇଥାନ୍ତେ । ହେଲେ ସରକାରଙ୍କ କଡା ଆଭିମୁଖ୍ୟକୁ ଦେଖି ଏହି ରଣନୀତିକୁ ବାତିଲ କରିଛନ୍ତି ଚାଷୀ ସଂଗଠନ ।

ସେପଟେ ଟ୍ରାକ୍ଟର ରାଲିରେ ଚାଷୀଙ୍କ ଉପଦ୍ରବ ପରେ ଆନ୍ଦୋଳନରୁ ଦୂରେଇ ଯାଇଛନ୍ତି ଦୁଇଟି ଚାଷୀ ସଂଗଠନ । ନୋଏଡା-ଦିଲ୍ଲୀ ରାସ୍ତାର ଚିଲ୍ଲା ସୀମାରେ ଆନ୍ଦୋଳନ କରୁଥିବା ଭାରତୀୟ କିଷାନ ୟୁନିୟନ, ଆନ୍ଦୋଳନର ସମାପ୍ତି ଘୋଷଣା କରିଛି । ଭାରତୀୟ କିଷାନ ୟୁନିୟନ୍ କହିଛି, ଯେଉଁମାନଙ୍କର ଉଦ୍ଦେଶ୍ୟ ଠିକ୍ ନୁହେଁ ସେମାନଙ୍କ ସହ ଆନ୍ଦୋଳନ କରି ହେବ ନାହିଁ । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହିଂସାକାଣ୍ଡ ଘଟାଇବା ପରେ ଏହି ଆନ୍ଦୋଳନର ମୂଳଦୁଆ ଏକ ପ୍ରକାର ଦୋହଲି ଯାଇଛି । ସମ୍ୟୁକ୍ତ କିଷାନ ମୋର୍ଚ୍ଚା ନାମକ ଏକ ସଂଗଠନ ବୈଠକ କରି କହିଛି, ଦିଲ୍ଲୀରେ ହିଂସାକାଣ୍ଡ ଘଟାଇଥିବା ସଂଗଠନ ଠାରୁ ଆମେ ଦୂରେଇ ରହିବୁ । ଘଟଣାରେ ୨୨ରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ୨ଶହରୁ ଅଧିକ ଜଣଙ୍କୁ ପୁଲିସ ଅଟକ ରଖିଛି । ଏବଂ ୩ଶହରୁ ଉର୍ଦ୍ଧ୍ବ ଲୋକ ଏହି ହିଂସାକାଣ୍ଡରେ ଆହତ ହୋଇଛନ୍ତି ।