ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ଟୋକିଓ ଅଲିମ୍ପିକ୍ସ । ଜାଭେଲିନ୍ ଥ୍ରୋରେ ନୀରଜଙ୍କ ସ୍ୱର୍ଣ୍ଣ ସହ ଭାରତ ହାତେଇଲା ୭ ପଦକ

143

କନକ ବ୍ୟୁରୋ : ଗୋଟିଏ ଶତାବ୍ଦୀ ଧରି ଭାରତ ପାଇଁ ଅପହଞ୍ଚ ଇଲାକା ହୋଇ ରହିଥିବା ଆଥଲେଟିକ୍ସରେ ଉଡିଛି ବିଜୟ ଧ୍ୱଜା । ଜାଭଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଏକ ଐତିହାସିକ ଅଧ୍ୟାୟକୁ ନିଜ ନାଁରେ କରିଛନ୍ତି ନୀରଜ ଚୋପ୍ରା । ୮୭ ଦଶମିକ ୫୮ ମିଟିରକୁ ଜାଭଲିନ ଫିଙ୍ଗି ୧୩୫ କୋଟି ଭାରତୀୟଙ୍କ ମନରେ ଏକ ଅପୂର୍ବ ଶିହରଣ ଖେଳାଇ ଦେଇଥିଲେ ଏହି ଆଥଲେଟ୍ । ଯାହା ସ୍ୱପ୍ନ ଥିଲା ତାହା ସାକାର ହେଲା । ବ୍ୟକ୍ତିଗତ ଇଭେଣ୍ଟରେ ଯଦିଓ ଏହା ଭାରତର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ, ହେଲେ ଆଥଲେଟିକ୍ସର ଏହା ପ୍ରଥମ । ନୀରଜ ସୁନା ପୁଅ ସାଜି ଭାରତ ପାଇଁ ସୁନା ଆଣିଛନ୍ତି । ଆଉ ଅଲମ୍ପିକ୍ସ ଇତିହାସରେ ସର୍ବକାଳୀନ ସଫଳତା ପାଇଛି ଟିମ୍ ଇଣ୍ଡିଆ । ମୋଟ ୭ଟି ପଦକ ଭାରତ ଖାତାକୁ ଆସିଛି ।
ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ପରେ ନିରଜ ଚୋପ୍ରାଙ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଫୋନ କରି ନୀରଜ ଚୋପ୍ରାଙ୍କ ସହ କଥା ହୋଇଛନ୍ତି । ଟୋକିଓରେ ଥିବା ସମୟରେ ନିରଜଙ୍କୁ ପ୍ରଧାନମନ୍ତ୍ରୀ ଫୋନ କରି ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ବିଶ୍ୱସ୍ତରରେ ଦେଶର ଗୌରବ ବଢାଇଥିବାରୁ ନୀରଜ ଚୋପ୍ରାଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି ।
ନୀରଜ ଚୋପ୍ରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି, ରାଜ୍ୟ କ୍ରିଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ଟୋକିଓ ଯିବା ଆଗରୁ ଜାଭେଲିନ ଟିମ୍ ଆସି କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଥିଲେ, ଏହାଛଡା ପୂର୍ବରୁ ମଧ୍ୟ ନୀରଜ ଚୋପ୍ରା ଓଡିଶାରେ ଆସି ପ୍ରଶିକ୍ଷଣ ନେଇଛନ୍ତି । ତେବେ ତାଙ୍କ ବ୍ୟକ୍ତିଗତ ନିଷ୍ଠା ଓ ପରିଶ୍ରମ ଯୋଗୁଁ ନୀରଜ ଭାରତ ପାଇଁ ଗୌରବ ଆଣିଦେଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ।
ଅଲିମ୍ପିକ୍ସ ପୂର୍ବରୁ ଭୁବନେଶ୍ୱର ଅଭ୍ୟାସ୍ କରିଥିଲେ, ନୀରଜ ଚୋପ୍ରା । ସେହିପରି ୨୦୧୭ ମସିହାରେ ନୀରଜ ଚୋପ୍ରା ଭୁବନେଶ୍ୱରରେ ରହି ଜାଭେଲିନ ଥ୍ରୋ ଅଭ୍ୟାସ କରୁଥିଲେ ।