ଅଗଷ୍ଟ ୧୫ରୁ ଆରମ୍ଭ ହେବ ନୂଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ । ପ୍ରଥମ ପର୍ଯ୍ୟାୟରେ ୫ ଜିଲ୍ଲାର ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବାଣ୍ଟି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

321

କନକ ବ୍ୟୁରୋ : ଅଗଷ୍ଟ ୧୫ ତାରିଖରେ ଆରମ୍ଭ ହେବ ନୂଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ । ଏଥିରେ ଉପକୃତ ହେବେ ରାଜ୍ୟର ୯୨ ଲକ୍ଷ ୫୦ ହଜାର ପରିବାର । ପୂର୍ବରୁ ୭୧ ଲକ୍ଷ ୬୯ ହଜାର ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଥିଲା । ଏଣିକି ନାସନାଲ ଫୁଡ ସିକ୍ୟୁରିଟି ଆକ୍ଟ ଓ ଷ୍ଟେଟ ଫୁଡ ସିକ୍ୟୁରିଟି ଆକଟ ଅନ୍ତର୍ଗତ ସମସ୍ତ ପରିବାରକୁ ମିଳିବ ମାଗଣା ସ୍ୱାସ୍ଥ୍ୟ ସେବା ।
ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ ୧୫ ତାରିଖରେ ମାଲକାନଗିରି, ସୁନ୍ଦରଗଡ଼, ଗଜପତି, ବଲାଙ୍ଗୀର ଓ ମୟୂରଭଂଜ ଜିଲ୍ଲା ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବିତରଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ନଭେମ୍ବର ମାସ ସୁଦ୍ଧା ସମସ୍ତ ଜିଲ୍ଲାରେ ଏହା ଲାଗୁ କରାଯିବ । ନୂଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ଗାଇଡଲାଇନ ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ କରାଯିବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ସଂପ୍ରସାରଣ କରାଯିବା ସହ ଅଧିକ ଘରୋଇ ହସପିଟାଲକୁ ଯୋଡି ଦିଆଯାଇଛି । କ୍ୟାସଲେସ୍ ସ୍ୱାସ୍ଥ୍ୟ ସେବା ପାଇଁ ସରକାରୀ ହସପିଟାଲରେ କୌଣସି କାଗଜପତ୍ର ଆବଶ୍ୟକ ପଡିବ ନାହିଁ । ତାଲିକାଭୁକ୍ତ ହୋଇଥିବା ଘରୋଇ ହସପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ କିମ୍ବା ନାସନାଲ ଫୁଡ ସିକ୍ୟୁରିଟି ଆକ୍ଟ କାର୍ଡ କିମ୍ବା ଷ୍ଟେଟ ଫୁଡ ସିକ୍ୟୁରିଟି ଆକ୍ଟ କାର୍ଡ ଦେବାକୁ ପଡିବ । ୨୦୧୮ ଅଗଷ୍ଟ ୧୫ ତାରିଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନାରେ ସରକାରୀ ହସପିଟାଲରେ ସମସ୍ତଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ବେଳେ ଅନ୍ୟ ହିତାଧିକାରୀ ପରିବାରକୁ ବର୍ଷକୁ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା ଯୋଜନା ଏବଂ ମହିଳା ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ।