ବନ୍ୟାରେ ବେହାଲ ରାଜସ୍ଥାନ । ୧୩ରୁ ଅଧିକ ଜିଲ୍ଲାରେ ସ୍ଥିତି ଅସମ୍ଭାଳ । ବନ୍ୟା ଜଳରେ ବୁଡିଲା କୋଟା

174

କନକ ବ୍ୟୁରୋ: ଲଗାଣ ବର୍ଷା ପରେ ରାଜସ୍ଥାନରେ ଦେଖିବାକୁ ମିଳିଛି ବନ୍ୟା ପ୍ରଳୟ । ହାଡୌତି, ବାରାଂ ଏବଂ କୋଟା ସମେତ ଅନେକ ଜିଲ୍ଲାରେ ବନ୍ୟାର ସ୍ଥିତି ଅସମ୍ଭାଳ ହୋଇ ଯାଇଛି । କୋଟା ସହର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ଘର ଦ୍ୱାର, ବଜାର ହାଟ ସବୁଠି ବନ୍ୟା ପାଣି ପଶି ଯାଇଛି । ଏନଡିଆରଏଫ ଟିମ୍ ପହଁଚି ବୋଟ୍ ଜରିଆରେ ଲୋକଙ୍କୁ ସ୍ଥାନାନ୍ତର କରୁଛି । ବନ୍ୟାର ଭୟଙ୍କର ସ୍ଥିତିର ମୁକାବିଲା ପାଇଁ ଗେହଲଟ ସରକାର ସେନାର ସାହାଯ୍ୟ ମାଗିଛନ୍ତି ।

ସେହିପରି ବାରନରେ ବନ୍ୟା ପାଣି ଗାଁ ଭିତରେ ପସି ଯିବାରୁ ଧନ-ଜୀବନ ପ୍ରଭାବିତ ହୋଇଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପାଖାପାଖି ୩୫୦ ଜଣଙ୍କୁ ଉଦ୍ଧାର କରିଛି ଏନଡିଆରଏଫ ଟିମ୍ ।

ରାଜସନ୍ଥାନରେ ଗତ ୭ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ପାଇଁ ଅନେକ ନଦୀରେ ବନ୍ୟା ପାଣି ପସିଛି । ଫଳରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୋଟାରେ ବନ୍ୟା ସ୍ଥିତି ଦେଖିବା ପାଇଁ କୋଟା ସାଂସଦ ତଥା ଲୋକସଭା ସ୍ପିକର ଓମ୍ ବିର୍ଲା ହେଲିକପ୍ଟର ଜରିଆରେ ଆକାଶମାର୍ଗରୁ ବନ୍ୟା ସ୍ଥିତି ଦେଖିଛନ୍ତି । ଚାଷ ବିଲରେ ବନ୍ୟା ପାଣି ମାଡି ଯାଇଛି । ଅନେକ ଗାଁରେ ବନ୍ୟା ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି । ଆକାଶ ମାର୍ଗରୁ ବନ୍ୟା ସ୍ଥିତି ପରଖିବା ପରେ ବୋଟ୍ରେ ବସି ବନ୍ୟା ପ୍ରଭାବିତଙ୍କ ପାଖରେ ପହଁଚିଛନ୍ତି ଓମ୍ ବିର୍ଲା ।

ଉତର ପ୍ରଦେଶରେ ଲଗାଣ ବର୍ଷା ପାଇଁ ଗଙ୍ଗା ଓ ଯମୁନାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ଅଂଚଳ ଜଳମଗ୍ନ ହୋଇଛି । ପ୍ରୟାଗରାଜରେ ବନ୍ୟାରେ ପ୍ରଭାବିତ ହୋଇଛି । ସହର ଭିତରେ ପାଣି ପସି ଯିବାରୁ ସାଧାରଣ ଲୋକେ ଅସ୍ତବ୍ୟସ୍ତ ହୋଇ ପଡିଛି ।

ମୌସୁମି ଜନିତ ବର୍ଷା ପାଇଁ ଉତରପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ ସମେତ ବିହାର ଓ ପଶ୍ଚିମବଙ୍ଗରେ ବନ୍ୟା ସୃଷ୍ଟି ହୋଇଛି । ଆଉ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମ୍ ନିୟୋଜିତ ହୋଇଛି ।