ଯୁବକଙ୍କ ମହାନତା । ଉଜୁଡା ସଂସାର ସଜାଡିବାକୁ …ଭାଉଜ ମଥାରେ ସିନ୍ଦୁର ଦେଲେ ଅରୁଣ

946

କନକ ବ୍ୟୁରୋ: କରୋନାରେ ଘରର ମଝିଆଁ ପୁଅର ଅକାଳ ମୃତ୍ୟୁ ହେଲା । କୁନି ପୁଅକୁ କୋଳରେ ଧରି ଅସହାୟ ହୋଇପଡିଥିଲେ ଭାଉଜ । ହେଲେ ସାହା ହେଲେ ଦିଅର । ଭାଉଜ ଓ ପୁତୁରାର ଉଜୁଡା ଜୀବନକୁ ସଜାଡିବାକୁ ଭାଉଜ ମଥାରେ ସିନ୍ଦୁର ଦେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କି ଡମପଡା ବ୍ଳକ ରଗଡି ଗାଁରେ ।

ଘରର ମଝିଆଁ ପୁଅ ଅରୁଣ ବାରିକ । ଏବେ ତାଙ୍କ ନିଆରା ପଦକ୍ଷେପ ଓ ବାହାଘରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା । ବିହାହ ଆଉ କାହା ସାଙ୍ଗରେ ନୁହେଁ ବରଂ ନିଜ ଭାଉଜଙ୍କ ସହ । କରୋନାରେ ମଝିଆଁ ଭାଇଙ୍କର ଅକାଳ ବିୟୋଗ ହେଲା । ଏହାପରେ ମାତ୍ର ବର୍ଷକର ପୁଅକୁ ଧରି ଅସହାୟ ହୋଇପଡିଥିଲେ ଭାଉଜ ଲିଲି । କଅଁଳା ଛୁଆଟାକୁ ଧରି ଭାଉଜ ଏକା ଏକା କେମିତି ଚାଲିବେ ଜୀବନର ବାଟ? ଭାଉଜ ସିନା ଆଉ କେଉଁଠି ବାହା ହୋଇପାରିବେ । ହେଲେ କୁନି ପିଲାଟିକୁ କିଏ ବା କାହିଁକି ଗ୍ରହଣ କରିବ । ଏହି ଚିନ୍ତା ଦିଅର ଅରୁଣଙ୍କ ସହ ପୁରା ପରିବାରକୁ ଘାରୁଥିଲା । ଏତିକିବେଳେ ବିବେକର ଡାକକୁ ଶୁଣିଥିଲେ ଅରୁଣ । ନିଜେ ଚାହିଁଥିଲେ ଆଉ କେଉଁଠି ଭଲ ଝିଅଟିଏ ଦେଖି ଜାନିଯୌତୁକ ଆଣି ଧୁମଧାମରେ ବାହା ହୋଇପାରିଥାନ୍ତେ । ହେଲେ ନିଜ ସ୍ୱାର୍ଥକୁ ପଛରେ ପକାଇ ଭାଉଜ ଓ କୁନି ପୁଅର ଭବିଷ୍ୟତ ପାଇଁ ମୁହଁକୁ ଚାହିଁ ଘର ଲୋକଙ୍କ ସହମତିରେ ଭାଉଜଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଲେ ଅରୁଣ । ଶେଷରେ ବନ୍ଧୁବାନ୍ଧବଙ୍କ ଗହଣରେ ମନ୍ତ୍ରପାଠ ଭିତରେ ଭାଉଜ ଲିଲିଙ୍କୁ ଜୀବନସାଥୀ କଲେ ଅରୁଣ ।

ଘର ଲୋକ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଗାଁ ମନ୍ଦିରରେ ଭାଉଜ ଲିଲିଙ୍କୁ ବିବାହ କରିଛନ୍ତି ଅରୁଣ । ଏବେ ବିବାହ ପରେ ସମସ୍ତେ ଖୁସି । ଭାଉଜଙ୍କ ଉଜୁଡା ସଂସାର ସଜାଡି ହୋଇଯାଇଛି । ଗତ ୨ ବର୍ଷ ପରେ ଆଶ୍ୱସ୍ତ ହୋଇଛନ୍ତି ଘର ଲୋକେ । ଅରୁଣଙ୍କ ଗୋଟିଏ ନିଷ୍ପତ୍ତି ତାଙ୍କ ପରିବାରକୁ ପୁଣି ଫେରାଇ ଆଣିଛି ଖୁସି । ଏହି ବାହାଘରରେ ଅରୁଣଙ୍କ ମିଳୁଛି ଅନେକ ପ୍ରଶଂସା ।