କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ ବେହେରା ବନଖଣ୍ଡ ଅଂଚଳରେ ବାଘ ଆତଙ୍କ । ନିରୋଳା ଦେଖି ଆକ୍ରମଣ କରୁଥିବା ସନ୍ଦେହ । ସାହାଜଖୋଲ ଜଙ୍ଗଲରୁ ମିଳିଲା କ୍ଷତବିକ୍ଷତ ଗାଈର ମୃତଦେହ । ବନାଂଚଳକୁ ନଯିବାକୁ ବନବିଭାଗର ପରାମର୍ଶ ।

169

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ନବରଙ୍ଗପୁର ସୀମାନ୍ତ ଅଂଚଳରେ ବାଘ ଆତଙ୍କ । ସାହାଜଖୋଲ ଜଙ୍ଗଲରେ ବାଘ ମାତିଥିବା ନେଇ ଗତୋମୁଣ୍ଡା ପଂଚାୟତର ବାଂଜିକୋଟ ଗାଁରେ ଆତଙ୍କ ଖେଳିଯାଇଛି । ଜଙ୍ଗଲକୁ ଯାଇଥିବା ଏକ ଗାଈ କ୍ଷତାକ୍ତ ହୋଇ ମରିପଡିଥିବା ଦେଖିବାକୁ ମିଳିଛି । ଗାଈକୁ ଜଙ୍ଗଲରେ ବାଘ ଶିକାର କରିଥିବା ଅଭିଯୋଗ କରିଛନ୍ତି ବାଞ୍ଜିକୋଟ ଗାଁର ଲୋକେ ।

ଏହାକୁ ନେଇ ଲୋକେ ଆତଙ୍କିତ ହୋଇ ରାତିରେ ଅନିଦ୍ରା ହୋଇ ଗାଁକୁ ଜଗିବା ସହ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ କୌଣସି ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣରେ ଗାଈର ମୃତ୍ୟୁ ହୋଇଥିବା କହିଛନ୍ତି । ବନବିଭାଗ ବାଘ ମାରିଥିବା ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ।

ଏଥିସହ ଜଙ୍ଗଲ ଭିତରକୁ ନଯିବା ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛି ବନବିଭାଗ । ତେବେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ଚଳାଉଥିବାରୁ ଗ୍ରାମବାସୀଙ୍କୁ ପେଟ ପାଟଣା ଚିନ୍ତା ଘାରିଛି । ବାଘ ଭୟରେ ଜଙ୍ଗଲ ଭିତରକୁ ଯାଇପାରୁନାହାନ୍ତି ଲୋକେ । ତେବେ ବାଘକୁ ଖୋଜିବାକୁ ପ୍ରୟାସ ଜାରି ରଖିଛି ବନବିଭାଗ ।