ଯାଜପୁରର ରାମ-ସୀତା କଳି । ଅଭିମାନରେ ୪୨ ବର୍ଷ ହେଲା ଭାତ ଖାଉନାହାଁନ୍ତି ରାମ ।

291

କନକ ବ୍ୟୁରୋ: ଯେଉଁଠି ଭଲ ପାଇବା ଥାଏ, ସେଇଠି ଅଭିମାନ ଥାଏ । ହେଲେ ଏହି ଅଭିମାନର ଆୟୁଷ କେତେ? ଏ ଏମିତି ଏକ କାହାଣୀ, ଯେଉଁଠି ଭଲ ପାଇବା ଅଛି ସତ, କିନ୍ତୁ ଅଭିମାନ ଯାଇନି । କେଉଁ ଏକ ଦୁର୍ବଳ ମୁହୁର୍ତ୍ତରେ ସ୍ତ୍ରୀ ଉପରେ ରାଗିଯାଇ, ଅଭିମାନରେ ନେଇଥିବା ପଣ ୪୨ ବର୍ଷ ପରେ ବି ଜୀବିତ ରହିଛି । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ଭିକିପୁର ଗାଁର ରାମଚନ୍ଦ୍ର ମାଝୀ । ଯିଏ ୪୨ ବର୍ଷ ହେଲା ଭାତ ଖାଉ ନାହାଁନ୍ତି । ସ୍ତ୍ରୀ ଉପରେ ଅଭିମାନ କରି ଭାତ ଖାଇବା ଛାଡିଦେଇଛନ୍ତି । ଚା, ଜଳଖିଆ, ବିସ୍କୁଟ, ମୁଢିକୁ ଏଭଳି ଖାଦ୍ୟକୁ ସେ ପ୍ରଧାନ ଖାଇବା ଭାବେ ମାନିନେଇଛନ୍ତି ।

  • ଅଭିମାନର ୪୨ ବର୍ଷ
  • ଚର୍ଚ୍ଚାରେ ଯାଜପୁରର ରାମ-ସୀତା

ସେଦିନ ଏମିତି କ’ଣ ଘଟିଥିଲା ଯେ, ରାମଚନ୍ଦ୍ର ଏଭଳି କୋଠର ନିଷ୍ପତି ନେଇଥିଲେ । ଆଜିକୁ ଠିକ୍ ୪୨ ବର୍ଷ ତଳେ, ରାମଚନ୍ଦ୍ର ବଜାରରୁ ପରିବା ଆଣି ପତ୍ନୀ ସିତାଙ୍କୁ ଦେଇ ରୋଷେଇ କରିବାକୁ କହିଥିଲେ । ହେଲେ ଘରର ଅନ୍ୟାନ୍ୟ କାମ ଥିବାରୁ ପତ୍ନୀ ରୋଷେଇ କରିପାରିନଥିଲେ । ରାମ କାମରୁ ଫେରି ଦେଖିବାରୁ ରୋଷେଇ ହୋଇନଥିଲା । ଆଉ ସେ ରାଗିଯାଇ ସୀତାଙ୍କ ସହ ଝଗଡା କରିଥିଲେ । ପରେ ସେ ପତ୍ନୀ ଓ ପରିବାରକୁ ଛାଡି ପାଖରେ ଏକ କୁଡିଆ ବନାଇ ସେଠାରେ ରହିଥିଲେ । ସେହିଦିନ ଠାରୁ ରାମ ପତ୍ନୀଙ୍କ ଉପରେ ଅଭିମାନ କରି ଭାତ ଖାଇବା ଛାଡିଦେଇଛନ୍ତି ।

ପତ୍ନୀଙ୍କ ସହ ୫ ଝିଅ ଓ ଦୁଇ ପୁଅଙ୍କୁ ନେଇ ରାମଚନ୍ଦ୍ରଙ୍କ ପରିବାର । ପରିବାରଠୁ ଅଲଗା ରହୁଥିଲେ ବି ପତ୍ନୀ ଏବଂ ପରିବାର ଲୋକେ ସେମାନଙ୍କୁ ପାଖକୁ ଆସନ୍ତି । ସବୁ ପୁଅ, ଝିଅଙ୍କ ବିବାହ ସରିଲାଣି । ଏହାରି ଭିତରେ ଅଭିମାନକୁ ୪୨ ବର୍ଷ ବିତିଯାଇଛି । କିନ୍ତୁ ଏବେ ବି ରାମ ଘରକୁ ଯାଉନାହାଁନ୍ତି କି ଭାତ ଖାଉନାହାଁନ୍ତି । ହେଲେ ପ୍ରତିଦିନ କାମ କରି ଯାହା କିଛି ଆୟ କରୁଛି ସଂନ୍ଧ୍ୟାରେ ପତ୍ନୀଙ୍କ ହାତକୁ ଧରାଇ ଦେଉଛି । ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ପ୍ରେମ ଅତୁଟ ରହିଛି । କିନ୍ତୁ ଏକ ପ୍ରକାର ଅଭିଶାପ ରୂପରେ ସେଦିନ ସାମ୍ନାକୁ ଆସିଥିବା ଅଭିମାନ ସେମିତି ଅକ୍ଷୁର୍ଣ୍ଣ ରହିଛି ।