ପ୍ରାଇଭେଟ ଚାକିରୀ କରି ମିଳିଲାନି ଆତ୍ମସନ୍ତୋଷ: ପନିପରିବା ଓ କୁକୁଡ଼ା ଅଣ୍ଡା ଉତ୍ପାଦନ କରି କରୁଛନ୍ତି ଭଲ ରୋଜଗାର

104

କନକ ବ୍ୟୁରୋ: ମକା, କଦଳୀ ଓ ବିଭିନ୍ନ ପ୍ରକାର ଚାଷରେ ସୃଷ୍ଟି ହୋଇଛି ସବୁଜିମା ପରିବେଶ । ଆଉ ଏହାର ଯତ୍ନ ନେବା ପାଇଁ ନିୟୋଜିତ ହୋଇଛନ୍ତି ୧୦ରୁ ୧୫ ଜଣ କର୍ମଚାରୀ । କିଏ କଦଳୀ ଗଛରୁ ଶୁଖିଲା ପତ୍ର ବାହାର କରୁଛନ୍ତି ତ ପୁଣି କିଏ ପାକଳ ହୋଇଥିବା କଦଳୀ କାନ୍ଦି ହାଣି ଅମଳ କରୁଛନ୍ତି । ଯାଜପୁର ସୁକିନ୍ଦା ବ୍ଲକ ନୂଆଡି଼ହ ଗାଁର ସୁକାନ୍ତ କୁମାର ସାହୁଙ୍କ ଉଦ୍ୟମରେ ୭ ଏକର ପରିମିତ ଜମିରେ ଲାଗିଛି ବିଭିନ୍ନ ପ୍ରକାରର ଫଳ ଓ ପନିପରିବା । ଏହାଦ୍ୱାରା ସ୍ଥାନୀୟ ଅଂଚଳର ଲୋକଙ୍କୁ କର୍ମନିଯୁକ୍ତି ମିଳିପାରୁଥିବା ବେଳେ ସେ ନିଜେ ମଧ୍ୟ ଭଲ ରୋଜଗାର ହୋଇପାରୁଛନ୍ତି । ନିଜର ପୈତୃକ ଜମିରେ ଲଗାଇଛନ୍ତି ୫ହଜାର କଦଳୀ ଗଛ । ଏଥିରୁ ଉତ୍ପାଦିତ ହେଉଥିବା କଦଳୀ ଓ ପନିପରିବା ଜିଲ୍ଲା ତଥା ଜିଲ୍ଲା ବାହାରକୁ ରପ୍ତାନି କରାଯାଉଛି ।

ସେହପରି ଲେୟର ଫାର୍ମିଂ ଜରିଆରେ କୁକୁଡ଼ା ଅଣ୍ଡା ଉତ୍ପାଦନ କରି ଲୋକଙ୍କ ଆବଶ୍ୟକତା ପୁରଣ କରିପାରୁଛନ୍ତି ସୁକାନ୍ତ । ପ୍ରତିଦିନ ଏହି କୁକୁଡ଼ା ଫାର୍ମରୁ ୧ ହଜାର ଅଣ୍ଡା ଉତ୍ପାଦନ ହେଉଛି ।ଫାର୍ମରୁ ଉତ୍ପାଦିତ ଅଣ୍ଡା ସ୍ଥାନୀୟ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ପଠାଯାଉଛି । କୁକୁଡ଼ାଙ୍କୁ ଖାଦ୍ୟ, ପାନୀୟ ଦେବା, ଫାର୍ମରୁ ଅଣ୍ଡା ବାହାର କରିବାରେ କିଛି କର୍ମଚାରୀ ନିୟୋଜିତ ହୋଇଛନ୍ତି । ଜମିକୁ ହଳ କରିବା ଓ ଜଳସେଚନ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ଉପଯୋଗ କରିଛନ୍ତି ସୁକାନ୍ତ । ଉଠାଜଳସେଚନ ପ୍ରକ୍ରିୟାରେ ଫାର୍ମକୁ ଜଳସେଚନ କରାଯାଉଛି । ସେହିପରି ମେସିନ୍ ସହାୟତାରେ ହଳ କରାଯାଉଛି । ଜୈବିକ ସାର, କମ୍ପୋଷ୍ଟ, ଖତ ଦେଇ ଚାଷ ହେଉଥିବାରୁ ରାତି ପାହିଲେ ଚାଷ ଜମି ନିକଟକୁ ଆସି ଲୋକେ ପନିପରିବା କିଣିନେଉଛନ୍ତି ।

ଉଚ୍ଚଶିକ୍ଷା ଲାଭ ପରେ ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିଲେ ସୁକାନ୍ତ । ଏଥିରେ ତାଙ୍କୁ ଆତ୍ମସନ୍ତୋଷ ମିଳିପାରିନଥିଲ । ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ କର୍ମନିଯୁକ୍ତି ଯୋଗାଇଦେବା ଲକ୍ଷ୍ୟରେ ଚାଷ କାମ ପ୍ରତି ମନୋବଳାଇଥିଲେ । ଆଉ ଏହି କାମରେ ସେ ସଫଳ ହେବା ସହ ଅନ୍ୟମାନଙ୍କ ପାଇଁ ରୋଲ ମଡ଼େଲ ପାଲଟିଛନ୍ତି ।