ପନିର ଓ ଛେନା ବ୍ୟବସାୟରୁ ଲକ୍ଷପତି: ବାର୍ଷିକ ୧୦ଲକ୍ଷରୁ ଅଧିକ ରୋଜଗାର କରି ଯୁବପିଢିଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା

161

କନକ ବ୍ୟୁରୋ: ଛେନା ବ୍ୟବସାୟରୁ ଲକ୍ଷପତି । ବିଶେଷକରି ନିଆଳି ଅଂଚଳର ଛେନାଓ କ୍ଷୀରର ପ୍ରସିଦ୍ଧି ସାରା ଓଡ଼ିଶାରେ ରହିଛି । ଆଉ ଏହାକୁ ବ୍ୟବସାୟ ରୂପେ ଗ୍ରହଣ କରି ଭଲ ରୋଜଗାର କରୁଛନ୍ତି ନିଆଳି ବାରବୋଡିଆ ଗାଁର ଅଶୋକ ବେହେରା । ପରିଶ୍ରମ ଓ ବୁଦ୍ଧି ବଳରେ ନିଜେ ରୋଜଗାର କରିବା ସହ ସ୍ଥାନୀୟ ଅଂଚଳର କ୍ଷୀର ଚାଷୀଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି । ଏବେ ବାର୍ଷିକ ୧୦ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରି ଯୁବପିଢିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଅଶୋକ ।

ପ୍ରତିଦିନ ସକାଳୁ ଗାଁ ଗାଁ ବୁଲି ଛୋଟ ବଡ ଦୁଧଚାଷୀଙ୍କ ଠାରୁ କ୍ଷୀର ସଂଗ୍ରହ କରନ୍ତି ଅଶୋକ । ଆଉ ଏହାପରେ ଘରେ ବସାଇଥିବା କ୍ଷୀର ଆଉଟା ମେସିନ୍ରେ କ୍ଷୀରକୁ ଆଉଟି ସେଥିରୁ ଛେନା ଓ ପନିର ପ୍ରସ୍ତୁତ କରନ୍ତି । ଛେନା ଓ ପନିରକୁ ନିଜେ ଅଶୋକ ପ୍ରତିଦିନ ଗୋଟିଏ ଅଟୋରେ ନଖରା, କଟକ, ବକ୍ସିବଜାର, ଚଉଧୁରୀ ବଜାର, ଦୈଳମୁଣ୍ଡେଇ ଓ ଯୋଡା ବଡବିଲକୁ ମଧ୍ୟ ପଠାଇଥାଆନ୍ତି । ପ୍ରତିଦିନ ୨ କୁଇଂଟାଲରୁ ଅଧିକ ଛେନା ଓ ପନିର ବିକ୍ରି କରନ୍ତି ଯୁବ ବ୍ୟବସାୟୀ ଅଶୋକ ।

ପାଠପଢା ସରିବା ପରେ କିଛି କରିବା ଆଶାରେ ଘରେ ଥିବା ୪ଟି ଗାଇର କ୍ଷୀରରୁ ପ୍ରଥମେ ବ୍ୟବସାୟ ଆରମ୍ଭ କରିଥିଲେ ଅଶୋକ । ବ୍ୟବସାୟ ବଢିବା ପରେ ତାଙ୍କ ଭାଇ, ବାପା ଓ ମା’ ଏଥିରେ ତାଙ୍କୁ ସହଯୋଗ କଲେ । ଆଉ ଏହି ବ୍ୟବସାୟ ତାଙ୍କୁ ଏବେ ଭଲ ରୋଜଗାର ଦେବା ସହ ସ୍ଥାନୀୟ ଅଂଚଳରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।