ରାଜ୍ୟ କ୍ୟାବିନେଟ ବୈଠକ ଶେଷ. ଅନୁଦାନପ୍ରାପ୍ତ ଶିକ୍ଷକଙ୍କୁ ଉପହାର।

39,199

କନକ ବ୍ୟୁରୋ: ଗ୍ରାଣ୍ଟ-ଇନ୍ -ଏଡ୍ ଶିକ୍ଷକଙ୍କ ପାଇଁ ଲାଗୁ ହେବ ସପ୍ତମ ବେତନ କମିଶନ୍ । ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ, ୟୁପି ସ୍କୁଲ ଓ ମଦ୍ରାସା ଶିକ୍ଷକଙ୍କୁ ଏହି ବେତନ ମିଳିବ । ଫଳରେ ଉପକୃତ ହେବେ ୨୬ ହଜାର ୧୬୪ ଶିକ୍ଷକ ଓ କର୍ମଚାରୀ । ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଶହେ ପ୍ରତିଶତ ଅନୁଦାନ ପାଉଥିବା ଶିକ୍ଷକ ଓ କର୍ମଚାରୀ ଏହି ହାରରେ ବେତନ ପାଇବାକୁ ଯୋଗ୍ୟ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୮୦ କୋଟି ୪୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ।

ଏହାବାଦ ମହାନଦୀ ବେସିନରେ ଦୁଇଟି ବ୍ୟାରେଜ ନିର୍ମାଣ କରିବାକୁ ନିଷ୍ପତି କରିଛି ରାଜ୍ୟ କ୍ୟାବିନେଟ୍ । ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ ଜଳାଶୟ ସୃଷ୍ଟି କରିବାକୁ ୨୦୧୯-୨୦ରେ ଯୋଜନା କରାଯାଇଥିଲା । ଜଗତସିଂହପୁର ଜିଲ୍ଲାର ଚୌଧୁରୀଗଡା ଗ୍ରାମ ନିକଟ ମହାନଦୀ ଓ କେନ୍ଦ୍ରାପଡାର ଜିଲ୍ଲା ଟିଖିରୀ ଗାଁ ନିକଟ ମହାନଦୀର ଉପନଦୀ ପାଇକାରେ ତିଆରି ହେବ ବ୍ୟାରେଜ । ଏଥିପାଇଁ ୩୪୪ କୋଟି ୬୭ ଲକ୍ଷ ଟଙ୍କା, ଏପରିକି ୫ ବର୍ଷ ପାଇଁ ୩ କୋଟି ୪୨ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ ମିଳିଛି ।

କୃଷକ ସଂଗଠନକୁ ପ୍ରୋତ୍ସାହିତ କରିବା ପାଇଁ ଆଳୁ, ପନିପରିବା ଓ ମସଲା ଉନ୍ନୟନ ଯୋଜନାକୁ ଅନୁମୋଦନ କରିଛି କ୍ୟାବିନେଟ୍ । ଏଥିପାଇଁ ଆଗାମୀ ୪ ବର୍ଷରେ ଖର୍ଚ୍ଚ ହେବ ୧ ହଜାର ୧୪୨ କୋଟି ୨୪ ଲକ୍ଷ ଟଙ୍କା । କୃଷିରେ ମହିଳାମାନଙ୍କ ସଶକ୍ତିକରଣ ପାଇଁ ପାଣ୍ଠି ବ୍ୟବସ୍ଥା କରାଯାଇଛି । ବଟମ ଛତୁ ଓ ଝରାଫୁଲ ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବାକୁ ୫ବର୍ଷରେ ଖର୍ଚ୍ଚ ହେବ ୩୬୭ କୋଟି ୧୯ ଲକ୍ଷ ଟଙ୍କା । ରାଜ୍ୟର ୧ ହଜାର ୭୯୨ ଅପହଞ୍ଚ ଗାଁ ଗୁଡିକରେ ଫୋର-ଜି ମୋବାଇଲ ସେବା ଯୋଗାଇଦେବା ପାଇଁ ବିଏସଏନଏଲକୁ ଜମି ଲିଜ ପ୍ରଦାନ କରାଯାଇଛି । ୩୦ ବର୍ଷ ପାଇଁ ୧ ହଜାର ୬୮୭ଟି ସ୍ଥାନରେ ୨ହଜାର ବର୍ଗଫୁଟ ମାପର ଜମି ପ୍ରମିୟମ ମୁକ୍ତ ଓ ଆନୁଷ୍ଠାନିକ ଦେୟମୁକ୍ତ ବ୍ୟବହାର ପାଇଁ ଲିଜ ଦିଆଯାଇଛି । ଟୋକନ୍ ରାଶି ଆକାରରେ ରାଷ୍ଟ୍ରାୟତ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ବିଏସଏନଏଲ ବାର୍ଷିକ କେବଳ ୧ ଟଙ୍କା ଦେବ ।