ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ଅନୁମତି ଦେଇନଥିଲା ଏଏସଆଇ, ଭୁବନେଶ୍ୱର । ଆରଟିଆଇ ତଥ୍ୟରୁ ସାମ୍ନାକୁ ଆସିଲା ସତ ।

162

କନକ ବ୍ୟୁରୋ: ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ବିନା ଅନୁମତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଚାଲିଥିବା ନେଇ ଯେଉଁ ଅଭିଯୋଗ ହୋଇଆସୁଛି, ତାହା ଧିରେଧିରେ ସ୍ପଷ୍ଟ ହେବାରେ ଲାଗିଛି । ଏଏସଆଇର ବିନା ଅନୁମତିରେ ଖନନ ଓ ନିର୍ମାଣ କାମ ଚାଲିଥିବା କଥା ଏବେ ଆରଟିଆଇ ତଥ୍ୟରୁ ଜଣାପଡିଛି । କେନ୍ଦ୍ରାପଡାର ସୂଚନା ଅଧିକାର କର୍ମୀ କ୍ଷିତୀଶ ସିଂ ଏନେଇ ପ୍ରତ୍ନତତ୍ତ୍ୱ ବିଭାଗର ଭୁବନେଶ୍ୱର ସର୍କଲରୁ ସୂଚନା ଅଧିକାର ବଳରେ ତଥ୍ୟ ମାଗିଥିଲେ । ଏଥିରେ ପ୍ରଶ୍ନ କରିଥିଲେ ଯେ, ଶ୍ରୀଜଗନ୍ନାଥ ହେରିଟେଜ୍ କରିଡର ପାଇଁ ଏଏସଆଇଠାରୁ ସରକାର କୌଣସି ଅନୁମତି ନେଇଛନ୍ତି କି? ଏପରିକି ଅନୁମତି ସଂପର୍କିତ କୌଣସି ଚିଠି ରହିଛି କି ବୋଲି ପ୍ରଶ୍ନ କରାଯାଇଥିଲା । ହେଲେ ଏଏସଆଇ କୌଣସି ଅନୁମତି ଦେଇନଥିବା କଥା ଉତ୍ତରରେ ଜଣାଇଛନ୍ତି । ଏଭଳି କୌଣସି ଚିଠି ନଥିବା ମଧ୍ୟ ଉତ୍ତରରେ କୁହାଯାଇଛି । ସେହିପରି ଖନନ ବାବଦରେ ଏଏସଆଇ କୌଣସି ଉପଦେଶ କିମ୍ବା ଗାଇଡଲାଇନ ଦେଇଛି କି ବୋଲି ପ୍ରଶ୍ନର ଉତ୍ତର ରଖିଛି ଏଏସଆଇ । ପ୍ରତ୍ନତତ୍ତ୍ୱ ବିଭାଗର ଭୁବନେଶ୍ୱର ସର୍କଲ ପକ୍ଷରୁ କୌଣସି ଉପଦେଶ କିମ୍ବା ନିର୍ଦ୍ଦିଷ୍ଟ ଗାଇଡଲାଇନ ଦିଆଯାଇନଥିବା ମଧ୍ୟ ଉତ୍ତରରେ କୁହାଯାଇଛି । ତେବେ କେବଳ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିର୍ମାଣ ଓ ଖନନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଚିଠି ଏଏସଆଇର ଭୁବନେଶ୍ୱର ସର୍କଲ ଅଫିସକୁ ଦିଆଯାଇଥିବା ସ୍ପଷ୍ଟ କରାଯାଇଛି ।