ଖରାର ପ୍ରକୋପକୁ ଦେଖି ୫ଦିନ ସ୍କୁଲ ଛୁଟି : ଆଜିଠାରୁ ଏପ୍ରିଲ ୩୦ ଯାଏଁ ସ୍କୁଲ ଛୁଟି ରଖିବାକୁ ଗଣଶିକ୍ଷା ବିଭାଗର ନିଷ୍ପତ୍ତି, ଜାରି ରହିବ ପରୀକ୍ଷା
କନକ ବ୍ୟୁରୋ : ପ୍ରବଳ ଖରାକୁ ଆଖିରେ ରଖି ୫ ଦିନ ସ୍କୁଲ ଛୁଟି ଘୋଷଣା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୩୦ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆଜି ଠାରୁ ଏପ୍ରିଲ ୩୦ ତାରିଖ ଯାଏଁ ସ୍କୁଲ ଛୁଟି ରହିବ । ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ମଧ୍ୟ ଛୁଟି ରହିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ସ୍କୁଲ ଛୁଟି ରହିଥିଲେ ମଧ୍ୟ ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଚାଲିବ ବୋଲି ସୂଚନା ମିଳିଛି । ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଖରା ଯୋଗୁଁ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବଳ ଖରାରେ ଛୋଟ ଛୋଟ ପିଲା ସ୍କୁଲରୁ ଫେରିବାକୁ ନେଇ ଚିନ୍ତାରେ ଥିଲେ ଅଭିଭାବକ । ଆଉ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ଅଭିଭାବକଙ୍କୁ ଆଶ୍ୱସ୍ତି ଆଣି ଦେଇଛି ।
ଲଗାତାର ଭାବେ ଖରା ବଢ଼ୁଥିବାରୁ ସ୍କୁଲ ଛୁଟି କିମ୍ବା ସମୟ ପରିବର୍ତ୍ତନ ଲାଗି ଅଭିଭାବକ, ସ୍କୁଲ କର୍ତୃପକ୍ଷମାନେ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ଶିକ୍ଷକମାନେ ମଧ୍ୟ ସମାନ ସ୍ବର ଉଠାଇବା ପରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା କରି ଏଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏନେଇ ଆଜି ବିଭାଗୀୟ ଅଧିକାରୀମାନଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଅଧିକାରୀମାନେ ବିଭିନ୍ନ ମତ ଉପସ୍ଥାପନ କରିଥିଲେ ।
ବର୍ତ୍ତମାନ ସମୟରେ ସ୍କୁଲଗୁଡ଼ିକରେ ଗ୍ରୀଷ୍ମ ଛୁଟି କରାଗଲେ ପିଲାଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହେବ। ପାଖାପାଖି ଦୁଇ ମାସ ଧରି ପୁଣି ପାଠପଢ଼ା ପଛେଇ ଯିବ । ତେଣୁ ଗ୍ରୀଷ୍ମ ଛୁଟିରେ କୌଣସି ପରିବର୍ତ୍ତନ ନ କରି ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ହିଟ୍ ୱେଭ୍ ଆଧାରରେ ଆସନ୍ତା ୫ ଦିନ ଲାଗି ସ୍କୁଲଗୁଡ଼ିକରେ ପିଲାଙ୍କ ପାଠପଢ଼ା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଏହି ସମୟ ମଧ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ବଭଳି ସ୍କୁଲକୁ ଆସିବେ। ପିଲାଙ୍କ ନାମଲେଖା ପ୍ରକ୍ରିୟା ଜାରି ରହିବ । ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସ୍ଥିର ହୋଇଛି। ସେଥିପାଇଁ ବିଜ୍ଞପ୍ତିରେ ବି କେବଳ କ୍ଲାସ ବାତିଲ୍ କଥା ଉଲ୍ଲେଖ ହୋଇଛି ।