ଦେଶରେ ବଢୁଛି କରୋନା ସଂକ୍ରମଣ । ୬ ଦିନ ହେବ ୨ ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ

110

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ଉପରମୁହାଁ । ଲଗାତର ୬ ଦିନ ହେବ ୨ ହଜାର ଉପରେ ରହିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୫୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନଜର ପକାନ୍ତୁ ୬ ଦିନର ଦୈନିକ ସଂକ୍ରମଣ ଉପରେ । ଯେଉଁଥିରୁ ଦିଲ୍ଲୀରେ ୧,୦୮୩, ହରିଆଣାରେ ୪୧୭, କେରଳରେ ୨୧୮, ଉତ୍ତର ପ୍ରଦେଶରେ ୨୧୨ ଏବଂ ମହାରାଷ୍ଟ୍ରରେ ୧୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୧ ସପ୍ତାହ ଧରି ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମିବା ପରେ ଏବେ ଏହି ସବୁ ରାଜ୍ୟରେ ସଂକ୍ରମଣ ଉପରମୁହାଁ ହୋଇଛି । ସେହିପରି କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତାମିଲନାଡୁ, ରାଜସ୍ଥାନ, ପଞ୍ଜାବ ଏବଂ କର୍ଣ୍ଣାଟକରେ ସଂକ୍ରମଣ ବଢି ଚାଲିଛି ।

ଦିଲ୍ଲୀରେ ସପ୍ତାହକ ମଧ୍ୟରେ ୬ ହଜାର ୩୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ସପ୍ତାହକ ମଧ୍ୟରେ ତିନି ଗୁଣା ଅଧିକ । ଦିଲ୍ଲୀରେ ସଂକ୍ରମଣ ବଢିବା ପଛରେ ଓମିକ୍ରନ ଏବଂ ଏହାର ସବ ଭ୍ୟାରିଆଣ୍ଟ ରହଛି ବୋଲି କୁହାଯାଉଛି । କିନ୍ତୁ ଆଶ୍ୱସ୍ତିକର କଥା ହେଲା ଦେଶରେ ହସ୍ପିଟାଲାଜାଇଜେସନ ଏବଂ ମୃତ୍ୟୁ ସଂଖ୍ୟା ସେମିତି ନାହଁ ।

  • ଚୀନରେ ବଢୁଛି କରୋନା ସଂକ୍ରମଣ
  • ସାଂଘାଇ ପରେ ବେଜିଂରେ ଲକଡାଉନ

କରୋନା ସଂକ୍ରମଣ ଚୀନରେ ବଢି ଚାଲିଛି । ସବୁଠାରୁ ବଡ ସହର ସାଂଘାଇରେ ଏବେ ସଂକ୍ରମଣ ବଢିବା ସହିତ ବଢୁଛି ମୃତ୍ୟୁ ସଂଖ୍ୟା । ଲକଡାଉନ ଲାଗୁ ହୋଇଥିଲେ ବି ସଂକ୍ରମଣ କମୁନି । ଏବେ ରାଜଧାନୀ ବେଜିଂକୁ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି । ତେଣୁ ବେଜିଂର ବିଭିନ୍ନ ସ୍ଥାନରେ ଏବେ ଲକଡାଉନ ଲାଗୁ ହୋଇଛି । ସେହିପରି ବେଜିଂର ଚାଓୟଙ୍ଗ ଜିଲ୍ଲାରେ କରୋନା ଟେଷ୍ଟ ବାଧ୍ୟତାମୂଳକ ରହିଛି । ସଂକ୍ରମଣ ବଢୁଥିବାରୁ ଏବେ ଆଗାମୀ ଦିନରେ ଲକଡାଉନ୍ ଲାଗୁ ହୋଇପାରେ ଭାବି ସପିଂ ମଲରେ ଲୋକେ ଭିଡ ଜମାଇଛନ୍ତି । ପନିପରିବା ସହିତ ଅତ୍ୟାବଶ୍ୟକ ସାମଗ୍ରୀ କିଣି ଲୋକେ ଏବେ ଲକଡାଉନ ଟେନସନରୁ ମୁକ୍ତ ହେବାକୁ ଚାହୁଁଛନ୍ତି ।