ଏମିିତି ହେଉଛି ଦୁର୍ନୀତି…୩୬ ଲକ୍ଷ ଟଙ୍କାରେ ନିର୍ମାଣ ହେଇଛି ପ୍ରକଳ୍ପ । ହେଲେ ଏଯାଏଁ ଚାଷୀ ପାଇପାରୁନି ପାଣି ।

83

କନକ ବ୍ୟୁରୋ: ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ଦୋରାଗୁଡା ଜଳସେଚନ ପ୍ରକଳ୍ପ । ୨୦୦୨ରେ ବ୍ଲକ ଅନ୍ତର୍ଗତ ୨୦ରୁ ଅଧିକ ଗାଁର ହଜାର ହଜାର ହେକ୍ଟର ଚାଷ ଜମିକୁ ଜଳସେଚିତ କରିବା କ୍ଷୁଦ୍ର ଜଳ ସେଚନ ବିଭାଗ ଦାୟିତ୍ୱ ନେଇଥିଲା । ପାହାଡିଆ ନାଳ ପାଣିକୁ ଅଟକାଇ ଡାଇଭର୍ସନ କେନାଲ ଯୋଗେ ଜଳସେଚନ କରିବା ଲାଗି ୧୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚର୍ ହୋଇଛି । ଗାଁ ଲୋକେ କେନାଲ ବାବଦକୁ ହେକ୍ଟର ହେକ୍ଟର ଚାଷ ଜମି ହରାଇଛନ୍ତି । ହେଲେ ଲୋକେ କେନାଲ ଦେଇ ଟୋପାଏ ପାଣି ପାଇ ନାହାନ୍ତି ।

ରାଜ୍ୟରେ ଜଳସେଚନ ବ୍ୟବସ୍ଥା କେତେ ଦୁର୍ବଳ ତାହା ଜିଲ୍ଲାର ଚେକଡ୍ୟାମ୍ ଗୁଡିକୁ ଦେଖିଲେ ସହଜରେ ଅନୁମାନ କରାଯାଇ ପାରେ । ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଏମଭି ୮ ଗାଁ ନାଳରେ ୩ଟି ଚେକ ଡ୍ୟାମ ନିର୍ମାଣ ହୋଇଛି । ହେଲେ ପ୍ରକଳ୍ପରୁ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡୁଛି । ମୋଟ ୧୯ ବର୍ଗ କିଲୋମିଟର ପାଣି ଗଚ୍ଛିତ ରଖିବା ଲାଗି ଏହି ପ୍ରକଳ୍ପଟି ୨୭ ଲକ୍ଷ ଅଟକଳ ମୂଲ୍ୟରେ ଆରମ୍ଭ ହୋଇଥିଲା । ଏହି ପ୍ରକଳ୍ପର ମୂଲ୍ୟ ଏବେ ୩୬ ଲକ୍ଷରେ ପହଁଚିଛି । ହେଲେ ଏଥିରୁ ଇଞ୍ଚେ ଜମିକୁ ପାଣି ମଡାଇ ପାରି ନାହାନ୍ତି ଚାଷୀ ।

ଚାଷୀଙ୍କ ପେଟକୁ ଲାତ ମାରି ସରକାରୀ ଅର୍ଥକୁ କେମିତି ହରି ଲୁଟ କରାଯାଇପାରେ, ତାହା ଉପାନ୍ତ କାଲିମେଳା ବ୍ଲକ ଅନ୍ତର୍ଗତ ଏହି ଚେକ୍ ଡ୍ୟାମକୁ ଦେଖିଲେ ସ୍ପଷ୍ଟ ବୁଝା ପଡିବ । ୯୦ ବର୍ଗ କିଲୋମିଟରରେ ପାଣିକୁ ଗଚ୍ଛିତ ରଖିବା ଲାଗି ୬୨ ଲକ୍ଷ ସରକାରୀ ଅନୁଦାନ କେମିତି ବାଟମାରଣ ହୋଇଛି, ତାହା କିଛି ଚିତ୍ର ହିଁ ବୟାନ କରୁଛି । ଆଉ ବାରମ୍ବାର ଯୋଗାଯୋଗ ସତ୍ତେ୍ୱ ମାଲକାନଗିରି ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା କିନ୍ତୁ ମିଳି ପାରିନାହିଁ । ତେବେ ଚାଷୀଙ୍କ ପାଇଁ ଜଳସେଚନ ବିଭାଗ ଓ ସରକାର କେତେ ତତ୍ପର ତାହା ଏହି ଦୃଶ୍ୟ ହିଁ ବୟାନ କରୁଛି ।