ପାରାଦୀପ ପ୍ଲାଷ୍ଟିକ୍ ପାର୍କ ପାଇଁ ଏମଓୟୁ ସ୍ୱାକ୍ଷର । ଧର୍ମେନ୍ଦ୍ର ପ୍ରଧାନ କହିଲେ, ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ରେ ପାରାଦୀପ ପ୍ଲାଷ୍ଟିକ ପାର୍କ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ସମ୍ଭାବନା ଆଣିବ

73

କନକ ବ୍ୟୁରୋ: ପାରାଦୀପ ପ୍ଲାଷ୍ଟିକ୍ ପାର୍କର ବିକାଶ ପାଇଁ ମଙ୍ଗଳବାର ଆଇଓସିଏଲ ଓ ଇଡକୋ ମଧ୍ୟରେ ଏମଓୟୁ ସ୍ୱାକ୍ଷାର ହୋଇଛି । ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ନିର୍ମାଣ ହେବାକୁ ଥିବା ପାରାଦୀପ ପ୍ଲାଷ୍ଟିକ ପାର୍କ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଅନେକ ସମ୍ଭାବନା ଆଣିବ ବୋଲି ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ରାଜ୍ୟ ସରକାର ସଂଘୀୟ ଢାଂଚାରେ କେନ୍ଦ୍ର ସରକାରଙ୍କ ସହଯୋଗ ତଥା ନିଜ ଦାୟିତ୍ୱ ନେଇ ପୂରଣ କଲେ ଓଡିଶାର ସର୍ବାଙ୍ଗୀନ ବିକାଶ ହେବ । ସେହିପରି ଏହି ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ଓଡିଶାରେ ଯୁବକଯୁବତୀଙ୍କ ରୋଜଗାର ପାଇଁ ଶିଳ୍ପାୟନର ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ରାଜ୍ୟ ସରକାରଙ୍କ ଠାରୁ ପାରାଦୀପ ବିଶୋଧନାଗରର ସମ୍ପ୍ରସାରଣ, ଟେକ୍ସଟାଇଲ ଶିଳ୍ପ ସ୍ଥାପନ ତଥା ରାଜ୍ୟରେ ବିଭିନ୍ନ ପେଟ୍ରୋକେମିକାଲ ଓ ଅନ୍ୟାନ୍ୟ ଶିଳ୍ପାୟନର ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଠାରୁ ଅପେକ୍ଷା ରଖିଛନ୍ତି ।

ପାରାଦୀପ ରିଫାଇନାରୀର କ୍ଷମତା ୧୫ରୁ ୨୫ ମିଲିୟନ ଟନ ବୃଦ୍ଧି କରିବା ତଥା ପାରାଦୀପରେ ବିଶୋଧନାଗାରର ସମ୍ପ୍ରସାରଣ ଏବଂ ନାପତା କ୍ରାକର ପ୍ରକଳ୍ପ ପାଇଁ ଜାଗା ଯୋଗାଇ ଦେବା, ବୟନ ଶିଳ୍ପର ପ୍ରତିଷ୍ଠା, ପେଟ୍ରୋକେମିକାଲ ଶିଳ୍ପର ଅଭିବୃଦ୍ଧି ଏବଂ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ସ୍ଥାପନା ପାଇଁ ରାଜ୍ୟ ସରକାର ସହଯୋଗୀ ହେବାକୁ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ପାରାଦୀପ ପ୍ଲାଷ୍ଟିକ୍ ପାର୍କ ନେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପାରାଦୀପ ଠାରେ ୧୦୬.୭୮ କୋଟି ଟଙ୍କା ବ୍ୟୟରେ ୧୨୦ ଏକର ଜମିରେ ୮୦ଟି ଶିଳ୍ପଭିତିକ ୟୁନିଟ୍ ତଥା ଇଣ୍ଡିଆନ ଅଏଲ ଏବଂ ଇଡକୋର ମିଳିତ ଉଦ୍ୟୋଗରେ ପ୍ଲାଷ୍ଟିକ୍ ପାର୍କ ନିର୍ମାଣ ହେବ । ଏହା ଡାଉନଷ୍ଟ୍ରିମ୍ ପ୍ଲାଷ୍ଟିକ୍ ଶିଳ୍ପ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଭାରତରେ ପ୍ରଥମ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ପାରାଦୀପ ପ୍ଲାଷ୍ଟିକ ପାର୍କ । ଏହା ପ୍ଲାଷ୍ଟିକର ଆମଦାନୀକୁ ହ୍ରାସ କରିବାରେ ସାହାଯ୍ୟ କରିବ ଏବଂ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେବ । ଓଡ଼ିଶାର ସାମାଜିକ-ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।