ଶାଶୁଘରେ ବନ୍ଧା ପଡ଼ିଲେ ଡ଼ାକ୍ତରଙ୍କ ପତ୍ନୀ । ବାହାରୁ ତାଲା ପକାଇ ତଳ ଘରେ ଜଗି ରହିଲେ ଶ୍ୱଶୁର । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଖୋଲିଲା ତାଲା ।

569

କନକ ବ୍ୟୁରୋ: ଛାତ ଉପରେ ଅସହାୟ ବୋହୂ । ଆଉ ଦଉଡ଼ି ସାହାଯ୍ୟରେ ଉପରକୁ ଖାଦ୍ୟ ପୁଡିଆ ପଠାଉଛନ୍ତି ଝିଅର ବାପା । ବ୍ରହ୍ମପୁର ବାଂଛାନିଧି ନଗରରେ ଏହି ଘଟଣା ଘଟିଛି । ଶାଶୁଘରେ ବୋହୂକୁ ଉପର ଘରେ ବନ୍ଦ କରିଦିଆଯାଇଛି । ଅଭିଯୋଗ ଅନୁସାରେ ବ୍ରହ୍ମପୁରରେ ରହୁଥିବା ଡ଼ାକ୍ତର ଶାନ୍ତିଭୁଷଣ ପାଠୀଙ୍କ ପତ୍ନୀ ନିବେଦିତା ସାହୁଙ୍କୁ ଗୃହବନ୍ଦୀ କରି ରଖିଛନ୍ତି ତାଙ୍କ ଶ୍ୱଶୁର ।

ତିନି ମହଲା ଘରର ଉପରେ ବୋହୂ ରହିଥିବା ବେଳେ ମଝି ମହଲାରେ ଅଛନ୍ତି ଶାଶୁ ଓ ଶ୍ୱଶୁର । ସକାଳୁ ଉପର ଘରକୁ ଥିବା ସିଡ଼ିରେ ଶ୍ୱଶୁର ତାଲା ପକାଇ ଦେଇଥିଲେ । ନିବେଦିତାଙ୍କ ବାପାଙ୍କ କହିବା କଥା ହେଲା, ବିବାହ ବେଳେ ୫ଶହ ଗ୍ରାମ ସୁନା ସହ ଅନ୍ୟାନ୍ୟ ଜିନିଷ ଦେଇଥିଲେ । ତା ସତ୍ୱେ ବି ଝିଅଙ୍କୁ ନିର୍ଯାତନା ଦିଆଯାଇଛି ।

ସୋମବାର ଦିନ ଶାଶୁ ଘରେ ରହିବାକୁ ଦାବି କରି ଧାରଣା ଦେଇଥିଲେ ନିବେଦିତା । ସାରା ରାତି ଧାରଣା ଦେବା ପରେ ରାତି ୩ଟାରେ ଘରକୁ ପ୍ରବେଶ କରିଥିଲେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଉଚ୍ଚ ଶିକ୍ଷିତ ପରିବାର ହୋଇଥିଲେ ମଧ୍ୟ ବିବାହ ଦିନରୁ ବୋହୂକୁ ନିର୍ଯାତନା ଦେଇଆସୁଥିଲେ ଶାଶୂଘର ଲୋକ । ଏନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି । ଗତ ମାସ ୨୩ ତାରିଖରେ ଏସପିଙ୍କୁ ଭେଟି ଶାଶୂଘର ନିର୍ଯାତନାର କଥା ଗୋଟି ଗୋଟି କହିଥିଲେ । କିନ୍ତୁ କିଛି ଫଳ ମିଳିନଥିଲା ।

ଡାକ୍ତର ଜ୍ୱାଇଁ କରିବେ, ଝିଅ ସାରା ଜୀବନ ହସଖୁସିରେ ରହିବ । ଏହା ଭାବି ବଡଘରେ ବନ୍ଧୁ ବାନ୍ଧିଥିଲେ ନିବେଦିତାଙ୍କ ବାପା । କିନ୍ତୁ ତାଙ୍କର ସବୁ ସ୍ୱପ୍ନ ଭାଙ୍ଗିଯାଇଛି । ଏହି ଘଟଣା ଆଗକୁ କି ମୋଡ ନେବ ତା ଉପରେ ସମସ୍ତଙ୍କ ନଜର ରହିଛି ।