ଚୌରି- ଚୌରା ଶତାବ୍ଦୀ ସମାରୋହ । ଭର୍ଚୁଆଲ ଉତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ଶହୀଦ୍ ଙ୍କ ବଳିଦାନକୁ ମନେ ରଖିବ ଦେଶ

79

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ସ୍ୱତନ୍ତ୍ରତା ଆନ୍ଦୋଳନର ଐତିହାସିକ ପୀଠ ଚୌରା-ଚୌରି ଘଟଣାର ଶତାବ୍ଦୀ ସମାରୋହର ଶୁଭାରମ୍ଭ କରିଛନ୍ତି । ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ।

ଏହି ସମାରୋହରେ ଯୋଗ ଦେଇ ସେ ଶହୀଦ୍ ଙ୍କ ବଳିଦାନକୁ ଦେଶ ସର୍ବଦା ମନେ ରଖିବ ବୋଲି କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଡାକ ଟିକଟର ଉନ୍ମୋଚନ କରିଛନ୍ତି । ୧୯୨୨ ମସିହା ଫେବୃଆରୀ ୪ ତାରିଖରେ ଚେଯରି- ଚୌରାରେ ଘଟିଥିବା ଏକ ଘଟଣାକୁ ନେଇ ଉତ୍ତେଜିତ ଲୋକେ ସ୍ଥାନୀୟ ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଇଥିଲେ । ଫଳରେ ପୋଲିସ ଷ୍ଟେସନରେ ଥିବା ପୋଲିସ ମାନଙ୍କ ମଧ୍ୟରୁ ୨୩ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ୩ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା । ଏହି ଘଟଣା ପରେ ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଥିଲେ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ଚଳିତ ବଜେଟକୁ ନେଇ ବିରୋଧୀ ମାନେ ଦେଉଥିବା ମନ୍ତବ୍ୟ ଉପରେ କଡା ଜବାବ୍ ରଖିଛନ୍ତି ।  ପ୍ରଧାନମନ୍ତ୍ରୀ କହିଛନ୍ତି କି ‘ଆମ ସରକାର ଚଳିତ ବଜେଟରେ କୌଣସି ବର୍ଗର ବ୍ୟକ୍ତିଙ୍କ ଉପରେ ନୂଆ ଟିକସ୍ ଲଗାଇ ନାହାନ୍ତି’  । ଏହାସହ ସେ ବିରୋଧୀଙ୍କୁ ଘେରିବାକୁ ଯାଇ କହିଛନ୍ତି କି ପୂର୍ବ ସରକାର ମାନେ ଭୋଟବ୍ୟାଙ୍କକୁ ନଜରରେ ରଖି ବଜେଟ୍ ପ୍ରସ୍ତୁତ କରୁଥିଲେ । ଅନ୍ୟପଟେ କରୋନା ସଂକଟ ସମୟରେ ବିଶେଷଜ୍ଞ ମାନେ କହୁଥିଲେ କି ସରକାର ଚଳିତ ବଜେଟରେ ସାଧାରଣ ଲୋକଙ୍କ ଉପରେ ବଡ ଟ୍ୟାକ୍ସ ଲଗାଇବେ । ହେଲେ ଚଳିତ ବଜେଟରେ କୌଣସି ବର୍ଗର ଲୋକଙ୍କ ଉପରେ କିଛି ବି ନୂଆ ଟ୍ୟାକ୍ସ ଲଗାଯାଇ ନଥିବା ସେ କହିଛନ୍ତି ।

ଏପଟେ ୨ ମାସରୁ ଅଧିକ ସମୟ ଧରି ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି ବଜେଟରେ କୃଷକ ମାନଙ୍କ ଆୟ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ମଣ୍ଡି ଗୁଡିକୁ ଅଧିକ ମଜଭୁତ୍ କରିବାକୁ ବଜେଟରେ ଅର୍ଥ ବ୍ୟୟବରାଦ କରାଯାଇଛି ।