ଝିଅକୁ ମାରିବା ପାଇଁ ପିଶାଚ ପାଲଟିଲା ବାପା । ୨୦ ଦିନର ଛୁଆକୁ ଦେଲା ବିଷ ଇଞ୍ଜେକ୍ସନ୍, ଜୀବନ ସହ ସଂଘର୍ଷ କରୁଛି କଅଁଳା ଝିଅ । 

666

କନକ ବ୍ୟୁରୋ: ଏକଉସିଆ ଆଗରୁ ଝିଅକୁ ବିଷ ଦେଇଦେଲା ଜହ୍ଲାଦ ବାପା । ମାତ୍ର ଦିନର କଅଁଳ ଶିଶୁ କନ୍ୟାକୁ ବିଷ ଇଞ୍ଜେକ୍ସନ୍ ଦେଇଛି ରାକ୍ଷାସ ବାପା । ତେବେ ଝିଅ ଜନ୍ମ ହେବାରୁ ବାପା ଜଣଙ୍କ ଏମିତି ଜଘନ୍ୟ କାଣ୍ଡ କରିଛି । ଏକଉସିଆର ଦୁଇ ଦିନ ଆଗରୁ ଶିଶୁକନ୍ୟାକୁ ମାରିବା ପାଇଁ ପ୍ରି-ପ୍ଲାନ କରିିଥିଲା ବାପା । ଶ୍ୱଶୁର ଘରକୁ ବୁଲିବାକୁ ଆସି କୁନି ଝିଅକୁ ବିଷ ଇଞ୍ଜେକ୍ସନ୍ ଦେଇ ମାରିବା ପାଇଁ ଚେଷ୍ଟା କରିଛି ବାଲେଶ୍ୱର ମଲିକାଶପୁର ଚନ୍ଦନ ମହାରଣା  । ଶିଶୁକନ୍ୟାର ଅବସ୍ଥା ଏବେ ସଂକଟାପନ୍ନ ରହିଛି ।

ରାତି ପାହିଥିଲେ ଏହି କଅଁଳା ଝିଅର ଏକୋଶିଆ ହୋଇଥାନ୍ତା । ନାତୁଣୀର ମଙ୍ଗଳ କାମନା କରି ଅଜା-ଆଈ ଘରେ ପୂଜା ରଖିଥିଲେ । ଦୀର୍ଘାୟୁ କାମନା କରି ଘରେ ‘ପାଲା’ କରିବା ପାଇଁ ସଜବାଜ ହେଉଥିଲେ । ହେଲେ ସୈତାନ ଜ୍ୱାଇଁ, ଶ୍ୱଶୁର ଘରକୁ ଆସି, ନିଜ ଝିଅକୁ ବିଷ ଇଞ୍ଜେକସନ୍ ଦେଇ ଜୀବନର ମାରିଦେବାକୁ ଉଦ୍ୟମ କରିଛି । ଏଭଳି ଏକ ସାଂଘାତିକ୍ ଅଭିଯୋଗ ଆସିଛି ବାଲେଶ୍ୱର ନୀଳଗିରି ଶିଘଂରି ଗାଁରୁ । ପୁଅ ଚାହୁଁଥିବା ବାପା କୋଳରେ ଯେତେବେଳେ ଝିଅଟିଏ ଆସିଥିଲା । ପିଶାଚ ପାଲଟି ଯାଇଥିବା ଅମଣିଷ ।

ଏହି ପିଶାଚ ବାପାକୁ ଅଟକ ରଖି ପୁଲିସ୍ ପଚରାଉଚୁରା କରୁଥିବା ବେଳେ କଅଁଳା ଶିଶୁ ଜୀବନ-ମରଣ ସହ ସଂଗ୍ରାମ କରୁଛି । ଶିଶୁର ଅଜା ଭାଗୀରଥୀ ସିଂଙ୍କ ଅଭିଯୋଗ ଅନୁସାରେ- ଝିଅ ଜନ୍ମ ହେବା ପରେ ମା’ ଘରକୁ ଚାଲି ଆସିଥିଲେ ଅଭିଯୁକ୍ତ ଚନ୍ଦନଙ୍କ ପତ୍ନୀ । ମଝିରେ ମଝିରେ ଆସି ଝିଅକୁ ଦେଖି ବି ଆସୁଥିଲେ । ହେଲେ ଗତକାଲି ଝିଅକୁ ଦେଖିବାକୁ ଆସିଥିବା ବେଳେ ବିଷ ଇଂଜେକ୍ସନ ଦେଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିଛି ବୋଲି ଅଭିଯୋଗ କରିଛନ୍ତି । ତେବେ ଇଂଜେକସନ ଦେବା ସମୟରେ କୁନି ଝଅଟି କାନ୍ଦି ଉଠିବାରୁ ଘଟଣାଟି ପ୍ରଘଟ ହୋଇଥିବା ଜଣାପଡ଼ିଛି । ଏବେ ବି ସେମିତି ପଡ଼ି ରହିଛି ବିଷ ଔଷଧର ଡବା ଏବଂ ସିରିଞ୍ଜ । ଯେଉଁ ହାତରେ ଝିଅକୁ ଲାଳନପାଳନ କରିବାର କଥା ସେହି ହାତରେ ଅମଣିଷ ବାପା, ନିଜ ନବଜାତ ଶିଶୁ କନ୍ୟାକୁ ବିଷ ଇଂଜେକ୍ସନ୍ ଦେବା ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।