ମନ୍ତ୍ରୀପଦ ଯିବା ପରେ ଭରା ସଭାରେ କାନ୍ଦିଲେ ପୋଲସରା ବିଧାୟକ । ଷଡଯନ୍ତ୍ର କରି ମନ୍ତ୍ରୀ ପଦ ଛଡାଇ ନେଇଥିବା କହିଲେ, ଶ୍ରୀକାନ୍ତ ସାହୁ । 

301

କନକ ବ୍ୟୁରୋ: ଭରା ସଭାରେ ବିଧାୟକ କହିଲେ ମନର କଥା । ଆଉ ଭୋଟରଙ୍କ ଆଗରେ ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ । ପୋଲସରାର ବିଜେଡି ବିଧାୟକ ନିକଟରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ମନ୍ତ୍ରୀପଦ ଯିବା ପରେ ନିଜ ନିର୍ବାଚନମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଶ୍ରୀକାନ୍ତ ସାହୁ । ଗତକାଲି ବୁଗୁଡା ବ୍ଲକ ଗୋଲିଆରେ ଏକ ସମାବେଶ କରିଥିଲେ । ସେହି ସଭାରେ ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ସ୍ତ୍ରୀ ଗୋଲାପ ସାହୁ ଉପସ୍ଥିତି ଥିଲେ । ଆଉ କର୍ମୀଙ୍କ ଉଦେଶ୍ୟରେ ସଭାରେ ଭାଷଣ ଦେବା ବେଳେ ପୂର୍ବତନ ମନ୍ତ୍ରୀ ନିଜ ବିରୋଧରେ ଆସିଥିବା ଅଭିଯୋଗ ବାବଦରେ କହି ଭୋ-ଭୋ ହୋଇ କାନ୍ଦି ପକାଇଥିଲେ ।

ମନ୍ତ୍ରୀ ପଦ ଯିବା ପରେ ଭରା ସଭାରେ ଭୋ ଭୋ ହୋଇ କାନ୍ଦିପକାଇଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ।  ଆଉ କହିଛନ୍ତି ମନର କଥା ।  ଗତବର୍ଷ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ପୋଲସରା ବିଧାୟକ ମନ୍ତ୍ରୀ ହୋଇଥିଲେ । କିନ୍ତୁ ମନ୍ତ୍ରୀ ହେବାର ବର୍ଷେ ନ ପୁରୁଣୁ ବିବାଦରେ ଛନ୍ଦି ହୋଇପଡିବାରୁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ ପଡିଛି । ଆଉ ମନ୍ତ୍ରୀ ପଦ ଯିବା ପରେ ନିଜ ନିର୍ବାଚନମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଶ୍ରୀକାନ୍ତ ସାହୁ । ଏଥିପାଇଁ ବୁଗୁଡା ବ୍ଲକ ଗୋଲିଆରେ ଏକ ସମାବେଶ ଓ ମଣ୍ଡଳସ୍ତରୀୟ ସାଙ୍ଗଠନିକ ବୈଠକ ଆୟୋଜନ ହୋଇଥିଲା ।  ଏଥିରେ ନିଜେ ଶ୍ରୀକାନ୍ତ ଓ ତାଙ୍କ ସ୍ତ୍ରୀ ଉପସ୍ଥିତ ଥିଲେ । ଆଉ ଭାଷଣ ବେଳେ କାନ୍ଦିପକାଇଥିଲେ ଶ୍ରୀକାନ୍ତ ସାହୁ ଓ ତାଙ୍କ ପତ୍ନୀ । ଶ୍ରୀକାନ୍ତ ସାହୁ କହିଛନ୍ତି , ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି । ସମୟ ଆସିଲେ ସବୁ ସତ ସାମ୍ନାକୁ ଆସିବ ।

ନିକଟରେ ଜଣେ ଦଳୀୟ ନେତ୍ରୀ ବିଧାୟକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଶ୍ରୀକାନ୍ତ ସାହୁ ବିବାଦରେ ଥିଲେ । ଏଥିପାଇଁ ତେଣୁ ତାଙ୍କ ପଦ ହରାଇବାକୁ ପଡିଛି ବୋଲି ଚର୍ଚା ହେଉଛି । ୨୦୨୪  ନିର୍ବାଚନ ପାଖେଇ ଆସୁଥିବାବେଳେ  ପୋଲସରାରେ ଏଥର ରାଜନୈତକ ସମୀକରଣ ନେଇ ଚର୍ଚ୍ଚା ଜୋର ଧରିଛି । ଅନୁକମ୍ପା ଭୋଟ ପାଇବାକୁ ଶ୍ରୀକାନ୍ତ ଉଦ୍ୟମ କରୁଛନ୍ତି ବୋଲି କୁହାଯାଉଛି । ଏଭଳି ସମୟରେ ଶ୍ରୀକାନ୍ତ ସାହୁ ଦମ୍ଭୋକ୍ତି କରିଛନ୍ତି, ଆଗାମୀ ନିର୍ବାଚନରେ ବିଜେଡି ୫୦ ହଜାରରୁ ଅଧିକ ଭୋଟରେ ଜିତିବ । ନିର୍ବାଚନ ପୂର୍ବରୁ ଶ୍ରୀକାନ୍ତ ସାହୁଙ୍କ ପୋଲସରା ନିର୍ବାଚନମଣ୍ଡଳୀରେ ମାରାଥନ ବୈଠକ ଅନେକ ଚର୍ଚ୍ଚା ସୃଷ୍ଟି କରିଛି ।