ପୁଣି ହାତୀକୁ ଗୁଳିମାରିଲେ ଶିକାରୀ: ବନବିଭାଗର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

102

କନକ ବ୍ୟୁରୋ: ରାଜ୍ୟରେ ହାତୀମୃତ୍ୟୁ ଏକ ଚିନ୍ତାଜନକ ପ୍ରସଙ୍ଗ ପାଲଟିଥିବାବେଳେ ଭଂଜନଗର ମୁଜାଗଡ ରେଂଜ ଦରପଙ୍ଗିଆ ଜଙ୍ଗଲରୁ ଦନ୍ତାହାତୀର ଗଳିତ ମମୃତଦେହ ଉଦ୍ଧାର କରିବା ପୁଣି ଚର୍ଚ୍ଚାର ବିଷୟ ପାଲଟିଛି । ଶବଟି ଏକ ଖାଲୁଆ ସ୍ଥାନରେ ପଡିଥିବା ଦେଖିବାକୁ ମିଳିଥିବାବେଳେ ଏକ ଦାନ୍ତ ନଥିବା ଦେଖିବାକୁ ମିଳିଥିଲା । ତେଣୁ ଶିକାରୀମାନେ ହାତୀଶିକାର କରି ତାର ଦାନ୍ତକୁ କାଟି ନେଇଯାଇଛନ୍ତି । ହାତୀର ମୁଣ୍ଡ ଓ ଶରୀରରେ ଗୁଳିମାଡ ହୋଇଥିବା ଜଣାଯାଇଛି ।

ମୁଜାଗଡ ବନାଂଚଳରେ ଦୀର୍ଘଦିନ ହେଲା ୨୧ଟିକିଆ ହାତୀପଲ ଗତିବିଧି ଜାରି ରଖିଥିଲେ । ଏମାନଙ୍କ ମଧ୍ୟରୁ ଏହି ଦନ୍ତାହାତୀଟି ଅଲଗା ହୋଇଯାଇଥିଲା । ସବୁଠାରୁ ବଡ କଥାହେଲା ୫ଦିନ ହେଲା ଘଂଟା ହେବ ହାତୀର ଗଳିତ ଶବ ପଡିଥିଲେ ବି ଏହାକୁ ଜାଣିପାରିନଥିଲା ବନ ବିଭାଗ । ସ୍ଥାନୀୟ ଲୋକେ ଏ ନେଇ ବନବିଭାଗକୁ ଖବର ଦେଇଥିଲେ । ତେବେ ବଡ କଥା ହେଲା, ବନବିଭାଗ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଥିଲା । ବ୍ୟବଚ୍ଛେଦ ନକରି ଜେସିବି ସହାୟତାରେ ପୋତିଦେବାକୁ ଉଦ୍ୟମ ହୋଇଥିଲା । କିନ୍ତୁ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଶବର ବ୍ୟବଚ୍ଛେଦ କରାଯାଇ ପୋତିଦିଆଯାଇଛି ।

ହାତୀର ଦାନ୍ତକୁ କାଟିନେବା ଘଟଣାରେ ସ୍ଥାନୀୟ ବନକର୍ମଚାରୀ ସାମିଲ ଥିବା ଅନୁମାନ କରାଯାଉଛି । ପ୍ରଶ୍ନ ଉଠୁଛି, ପାଂଚ ଦିନ ତଳେ ହାତୀ ଶିକାର ହୋଇଥିଲେ ବି ବନବିଭାଗ ଜାଣିପାରିଲା ନାହିଁ କିଭଳି ।