ପିପିଲିରେ ଚାଞ୍ଚଲ୍ୟ: ଝିଅ ଆଗରେ ବାପାକୁ ବୋମାମାଡ କରି ହତ୍ୟା କଲା ସମ୍ପର୍କୀୟ ଦାଦା

424

କନକ ବ୍ୟୁରୋ: ସାରା ରାଜ୍ୟ ଯେତେବେଳେ ମା ଦୁର୍ଗାଙ୍କ ପୂଜାରେ ମସଗୁଲ ଅଛି, ସେତିକିବେଳେ ପୁରୀ ଜିଲ୍ଲା ଡେଲାଂଗ ବ୍ଲକ ହରିରାଜପୁର ପଂଚାୟତର ନଇଭଂସର ଗାଁରେ, ଝିଅ ଆଗରେ ବାପାକୁ ବୋମାମାଡ କରି ହତ୍ୟା କରିଛି ସମ୍ପର୍କୀୟ ଦାଦା । ଆଉ ସେହି ସମୟର ଛାତିଥରା ଦୃଶ୍ୟକୁ କାନ୍ଦି କାନ୍ଦି କ୍ୟାମେରା ଆଗରେ ବଖାଣିଛି ଛୋଟ ଝିଅଟି । କହିଛି ଘର ଭିତରେ ଥିବାବେଳେ କେମିତି ଅଚାନକ ତା ବାପାଙ୍କୁ ମାରିବା ପାଇଁ ନୃଶଂସ ଛାତ ଉପରୁ ବୋମାମାଡ କରିଥିଲା । ସବୁଠାରୁ ବଡ କଥା ହେଉଛି, ବୋମାମାଡରୁ ଝିଅକୁ ବଂଚାଇବା ପାଇଁ ତାଙ୍କୁ କେମିତି ଠେଲି ଦେଇଥିଲେ ବାପା । ଆଉ ଆଖି ଆଗରେ ବାପାଙ୍କ ଉପରେ ବୋମା ପଡିଥିଲା ।

ବୋମା ପଡିବା ପରେ ସମ୍ପୂର୍ଣ୍ଣ ଅଂଚଳ ଧୁଆଁମୟ ହୋଇଯାଇଥିଲା । କେହି କାହାକୁ ଦେଖି ପାରି ନଥିଲେ । ଧୂଆଁ କମିବା ପରେ ବାପା ତଳେ ପଡିଥିବା ଦେଖି ଚିକ୍ରାର କରିଥିଲା ଛୋଟ ଝିଅଟି । ସଂଗେ ସଂଗେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ମୃତକଙ୍କ ପୁଅର ସୂଚନା ଅନୁସାରେ, ମୃତ ତପନ ଦାସ ଓ ବିଦ୍ୟାଧର ଦାସଙ୍କ ପରିବାର ମଧ୍ୟରେ ଆଜି ଗଣ୍ଡଗୋଳ ହୋଇଥିଲା । ଏନେଇ ତପନ ହରିରାଜପୁର ଫାଣ୍ଡିରେ ଅଭିଯୋଗ କରିଥିଲେ । ହେଲେ , କାହିଁକି ଏତଲା ଦେଲୁ ବୋଲି କହି ଛାତ ଉପରୁ ବିଦ୍ୟାଧର ପାଂଚଟି ବୋମା ତପନଙ୍କ ଉପରକୁ ପକାଇଥିଲେ । ଆଉ ତପନଙ୍କର ବୋମାମାଡରେ ମୃତ୍ୟୁ ହୋଇ ଯାଇଛି । ବୋମାମାଡ ପରେ ପିପିଲି ଏସଡିପିଓ , ଡେଲାଙ୍ଗ ଆଇଆଇସିଙ୍କ ସମେତ ପୋଲିସ ଫୋର୍ସ ପହଁଚି ତଦନ୍ତ କରିଛନ୍ତି ।