କେମିତି ଚାଲିଛି ପିସି କାରବାର? ସୂଚନା ଫଳକରେ ପିସି ବାବଦ ଖର୍ଚ୍ଚ ଲେଖିଲେ ଠିକାଦାର

420

କନକ ବ୍ୟୁରୋ: ସୂଚନା ଫଳକରେ ‘ପିସି’ କାରବାରର ତଥ୍ୟ । ହୁଏତ କୌଣସି ନିର୍ମାଣ କାର୍ଯ୍ୟ ସରିବା ପରେ ଫଳକରେ ଏପରି ତଥ୍ୟ ଲେଖାଯିବା, ଆପଣ ପୂର୍ବରୁ ଦେଖିନଥିବେ । ତେବେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନ୍ଏସି ଅରବିନ୍ଦନଗରରୁ ଏହି ଚିତ୍ର ସାମ୍ନାକୁ ଆସିଛି । ଗାଁ କୋଠଘର ନିର୍ମାଣ ପରେ ଠିକାଦାର ଯେଉଁ ସୂଚନା ଫଳକରେ ତଥ୍ୟ ଦିଅନ୍ତି, ସେଥିରେ ରହିଛି, ପିସି ପାଇଁ ହୋଇଥିବା ଖର୍ଚ୍ଚର ହିସାବ । ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ୩ ବର୍ଷ ତଳର କାମ ହୋଇଥିଲେ ବି କୋଠ ଘର ନିର୍ମାଣ କରିଥିବା କଂଟ୍ରାକ୍ଟର ବିଲ୍ ପାଇନଥିବା ଅଭିଯୋଗ କରି ଘର ଚାବି ପକାଇ ରଖିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକ । ଏନଏସି ନିର୍ବାହୀ ଅଧିକାରୀ କହିଛନ୍ତି, ଏହି ନିର୍ମାଣ କାର୍ଯ୍ୟ ପୂର୍ତ ବିଭାଗ କରୁଥିଲା । ଏନଏସିର କୌଣସି ଭୂମିକା ନାହିଁ ।

କବିସୂର୍ଯ୍ୟନଗର ଏନ୍ଏସି ଅନ୍ତର୍ଗତ ଅରବିନ୍ଦନଗରରେ ଏକ କୋଠଘର ନିର୍ମାଣ କରିବା ପାଇଁ ‘ଉନ୍ନତି’ ଯୋଜନାରେ ୨ ଲକ୍ଷ ୭୫ ହଜାର ୬୫୭ ଟଙ୍କା ବ୍ୟୟ ବରାଦ ହୋଇଥିଲା । କବିସୂର୍ଯ୍ୟନଗର ପୂର୍ତ ବିଭାଗ ଜଣେ ଠିକାଦାରଙ୍କୁ କାମ ଦେଇଥିଲେ । ତେବେ ପିଂଟୁ ମଣ୍ଡଳ ନାମକ ଜଣେ ପ୍ରକ୍ସି ଠିକାଦାର ଏହି କାମକୁ ଶେଷ କରିଥିଲେ । ୨୦୧୮ରେ ନିର୍ମାଣ ସରିଥିଲା । ବିଲ୍ ପାଇନଥିବାରୁ ସେ କ୍ଷୁବ୍ଧ ହୋଇ ପିସି ବାବଦକୁ ୨୭ ହଜାର ଟଙ୍କା, ଜିଏସ୍ଟି ବାବଦକୁ ୩୧ ହଜାର ଟଙ୍କା, ଏପରି ୫୮ ହଜାର ଟଙ୍କା ଖର୍ଚ୍ଚ କରିଥିବା ସୂଚନା ଫଳକରେ ସେ ଉଲ୍ଲେଖ କରିଥିବା କୁହାଯାଉଛି । ଏହି ଖବର ଗଣମାଧ୍ୟମକୁ ଆସିବା ପରେ ପିଂଟୁ ମଣ୍ଡଳଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ । ସେପଟେ କବିସୂର୍ଯ୍ୟନଗର ପୂର୍ତ ବିଭାଗ ଏସଡିଓଙ୍କ କହିବା କଥା ଠିକାଦାରଙ୍କ ବିଲ୍ ପେମେଂଟ ହୋଇଛି । ଯଦି କିଛି ବାକି ଥାଏ, ସେ ଏ ନେଇ ତଦାରଖ କରିବେ ।

ତେବେ କବିସୂର୍ଯ୍ୟନଗର ଏନଏସିରୁ ଆସିଥିବା ଏହି ଖବର ପିସି କାରବାରର ବିକଳ ଚିତ୍ରକୁ ସାମନାକୁ ଆଣିଛି । ପୂର୍ତ ବିଭାଗର ତକ୍ରାଳୀନ ଜେଇଙ୍କ ଉପରେ ସଂଦେହ ଘନିଭୂତ ହେଉଛି । କିଏ ଠିକା କାମ ପାଇଛି, କିଏ ଠିକା କାମ ଶେଷ କରିଛି, ତାହା ଅପେକ୍ଷା ଠିକାକାମରେ କିପରି ପିସି କାରବାର ହେଉଛି, ଏହି ସୂଚନା ଫଳକ ସୂଚାଇଦେଉଛି । ଖବର ପ୍ରସାରଣ ପରେ ଗଂଜାମ ଜିଲ୍ଲାପାଳ ଉଭୟ ପୂର୍ତ ବିଭାଗ ଓ ଏନଏସିକୁ ଜବାବ ତଲବ କରିଛନ୍ତିି ।