୬ଟି ଦେଶରୁ ଭୁବନେଶ୍ୱରକୁ ଚୋରା ଚାଲଣ ହେଉଥିଲା କୋକେନ୍: ସନି ଓ ରବିଙ୍କ ମୋବାଇଲରୁ ମିଳିଲା ଚାଂଚଲ୍ୟକର ତଥ୍ୟ

84

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରୁ କୋକେନ ମିଳିବା ପରେ ଆଲୋଚନାର ବିଷୟ ହୋଇଥିଲା । ରାଜ୍ୟକୁ ଏହି ଦାମି ନିଶା ଦ୍ରବ୍ୟ କେଉଁଠୁ ଆସୁଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କୋକେନ କାରବାର କରୁଥିବା ୨ଜଣଙ୍କୁ ପଚରାଉଚୁରାବେଳେ ବିଦେଶୀ ଲିଙ୍କ୍ ଥିବା ନେଇ ଚର୍ଚ୍ଚା ହେଉଥିଲା । ଆଜି ସେହି ଚର୍ଚ୍ଚାକୁ ସ୍ପଷ୍ଟ କରିଛନ୍ତି କ୍ରାଇମବ୍ରାଂଚ ଏଡିଜି ।

ନିଶା ଦ୍ରବ୍ୟ ଭିତରେ ସବୁଠାରୁ ଦାମିକା ଓ ବିପଦଜନକ କୋକେନ ଭୁବନେଶ୍ୱରରୁ ମିଳିବା ପରେ ଏହା କେଉଁଠୁ ଆସିଲା ତାହା ଚର୍ଚ୍ଚାର ବିଷୟ ହୋଇଥିଲା । ରହସ୍ୟ ଉପରୁ ପରଦା ହଟାଇବା ପାଇଁ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ତଦନ୍ତ ଆରମ୍ଭ କରିଥିଲା କ୍ରାଇମବ୍ରାଂଚ । ଆଉ ୨ଜଣଙ୍କୁ ପଚରାଉଚୁରା ଓ ସେମାନଙ୍କ ମୋବାଇଲରୁ ଯେଉଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ତାହା ଚମକାଇ ଦେବା ଭଳି । କ୍ରାଇମବ୍ରାଂଚର ସୂଚନା ଅନୁସାରେ , ଚାଇନା, ଫ୍ରାନ୍ସ, ଆମେରିକା, ସ୍ୱିଜରଲ୍ୟାଣ୍ଡ, ଥାଇଲ୍ୟାଣ୍ଡ, ସାଉଥ ଆଫ୍ରିକାରୁ ଦିଲ୍ଲୀ ଆସୁଥିଲା ଏହି ଡ୍ରଗ୍ସ । ଦିଲ୍ଲୀରୁ ଓଡିଶା ଆସୁଥିଲା କୋକେନ ।

ରିମାଣ୍ଡରେ ଥିବା ୨ ଅଭିଯୁକ୍ତ ସନ୍ନି ଓ ରବିଙ୍କୁ ପଚରାଉଚୁରାବେଳେ ଜଣାପଡିଛି, ରାଜ୍ୟରେ ନିଶା କାରବାର ପାଇଁ ଏକ ବଡ ନେଟୱାର୍କ କାମ କରୁଛି । ଗିରଫ ଦୁଇ ଅଭିଯୁକ୍ତ ବିଦେଶୀ ଡ୍ରଗ୍ସ ପେଡଲରଙ୍କ ସହ ଯୋଗାଯୋଗରେ ଥିଲେ । ଅଭିଯୁକ୍ତ ଏକାଧିକ ମୋବାଇଲ ନମ୍ବରରେ କଥା ହୋଇ ଡିଲ୍ କରୁଥିଲା । ଲୋକେସନ ଟ୍ରାକ ଭୟରେ ଭିନ୍ନ ଭିନ୍ନ ନମ୍ବରରୁ କଥା ହେଉଥିଲେ ଡ୍ରଗ୍ସ ଦଲାଲ । କଲ ଡିଟେଲ୍ସରେ ପ୍ରମାଣ ନରଖିବା ପାଇଁ ହ୍ୱାଟସଆପ୍ ଓ ଟେଲିଗ୍ରାମକୁ ମାଧ୍ୟମ କରିଥିଲେ ।

ଆଗକୁ ଭୁବନେଶ୍ୱରରେ ହକି ବିଶ୍ୱ କପ୍ ଆୟୋଜିତ ହେବ । ଏହି ବିଶ୍ୱକପରେ ବହୁ ବିଦେଶୀ ନାଗରୀକ ରାଜଧାନୀକୁ ଆସିବାର ସମ୍ଭାବନା ରହିଛି । ଯାହାକୁ ଟାର୍ଗେଟ କରି କୋକେନ ମାଫିଆ ଭୁବନେଶ୍ୱରରେ ଏହି କାରବାର ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ଗତ ସପ୍ତାହରେ ରାଜଧାନୀରୁ ପ୍ରଥମ ଥର ପାଇଁ ୨୦୨ ଗ୍ରାମ ଓଜନର କୋକେନ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ ।