ସରକାରୀ ଜମିକୁ ମାଡ଼ି ବସିଛନ୍ତି ଆନ୍ଧ୍ରା କମ୍ପାନୀ । ମାଲକାନଗିରିରୁ ଆସିଲା ଜମି ଜବରଦଖଲର ସ୍ପଷ୍ଟ ଉଦାହରଣ । ୬ଏକର ଜମିର ମାଲିକାନା ଥାଇ ମାଡ଼ିବସିଛନ୍ତି ୨୮ଏକର ଜମି

118

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ଲଘୁ ଖଣିଜ ବିବାଦ ନିଲାମ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଅସିବା ପରେ ଏବେ ଖଣି ସମ୍ପର୍କିତ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି । ଯେଉଁ ଆନ୍ଧ୍ର ଠିକାଦାର ବା କମ୍ପାନୀକୁ ପୂର୍ବତନ ଜିଲ୍ଲାପାଳ ଅହେତୁକ ଅନୁକମ୍ପା ଦେଖାଇ ଥିବା ଅଭିଯୋଗ ହୋଇଛି, ସେଇ କମ୍ପାନୀ ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳରେ ବର୍ଷ ବର୍ଷ ଧରି ଏକର ଏକର ସରକାରୀ ଓ ଜଙ୍ଗଲ ଜମିକୁ ବେଆଇନ ଭାବେ ମାଡି ବସିଛି । ଏମିତି ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ । କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ଅଭିଯୋଗ କରିଛନ୍ତି ଯେ, ମାଲକାନଗିରି ମୋଟୁ ଅଂଚଳର ଜମିକୁ ଆନ୍ଧ୍ର କମ୍ପାନୀ ମାଡି ବସିଛି । ସେପଟେ ସରକାରୀ ୱେବ-ସାଇଟ ଯେଉଁ ତଥ୍ୟ ମିଳିଛି, ତାହା ରାଜସ୍ୱ ବିଭାଗ ଓ ଆନ୍ଧ୍ର ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାର ଆଉ ଏକ ଫର୍ଦ୍ଦ ସାମନାକୁ ଆଣିଛି ।

ଯେଉଁ ସଲଭେନ୍ସି ରିପୋର୍ଟ ପ୍ରଦାନ କରି ଆନ୍ଧ୍ରର ଠିକାଦାର ସିଏଚ ବେଣୁଗୋପାଳ ଚର୍ଚ୍ଚାକୁ ଆସିଥିଲେ । ସେଇ ସମ୍ପତିର ବାସ୍ତବ ଚିତ୍ର କିଛି ଭିନ୍ନ କଥା କହୁଛି । ପ୍ରାୟ ୧୧ ଦଶମିକ ୩୯୫ ହେକ୍ଟର ବା ୨୮ ଏକର ଜମିକୁ ବେଆଇନ ଭାବେ ମାଡି ବସିଛି ଆନ୍ଧ୍ର କମ୍ପାନୀ । ମାଲକନଗିରି ମୋଟୁ ତହସିଲ ଅନ୍ତର୍ଗତ ପୁଶୁଗୁଡା ମୌଜାରେ ଥିବା ପ୍ଲଟ ନଂ ୭୫୭/୯୪୪ ଓ ପ୍ଲଟ ନଂ ୭୫୮/୯୪୩ରେ ମୋଟ ୧ ଦଶମିକ ୨୪୦ ହେକ୍ଟର ଜମି ସିଏଚ୍ ବେଣୁ ଗୋପାଳ ନାଁରେ ରହିଛି । ଏବଂ ପ୍ଲଟ ନଂ ୭୬୦ରେ ଥିବା ୧ ଦଶମିକ ୧୭୫ ହେକ୍ଟର ଜମି ତାଙ୍କ କମ୍ପାନୀ ଭିଜି ଗ୍ରାନାଇଟ ନାଁରେ ରହିଛି । ତେବେ ଦେଖନ୍ତୁ ଏହି ସରକାରୀ ଦସ୍ତାବିଜ,.

ପ୍ଲଟ ନଂ ୭୫୬ – କିସମ- ଗାଁ ଜଂଗଲ – ୫.୪୦୦୦ ହେକ୍ଟର (ସାଢେ ୧୩ ଏକର)
ପ୍ଲଟ ନଂ ୭୬୨ – କିସମ- ଗାଁ ଜଂଗଲ – ୦.୪୧୦୦ ହେକ୍ଟର ( ୧ ଏକର)
ପ୍ଲଟ ନଂ ୭୬୩ – କିସମ- ଗୋଚର – ୦.୩୯୦୦ ହେକ୍ଟର (୯୭୫ ଡିସିମିଲ)
ପ୍ଲଟ ନଂ ୭୬୪ – କିସମ- ଗୋଚର – ୧.୯୦୦ ହେକ୍ଟର (୪ ଏକର ୭୫ ଡିସିମିଲ୍)
ପ୍ଲଟ ନଂ ୭୬୫ – କିସମ- ପତିତ – ୦.୫୭୫୦ ହେକ୍ଟର (ପ୍ରାୟ ଦେଢ ଏକର)
ପ୍ଲଟ ନଂ ୭୬୬ – କିସମ- ପତିତ – ୧.୧୭୦୦ ହେକ୍ଟର (ପ୍ରାୟ ୩ ଏକର)
ପ୍ଲଟ ନଂ ୭୬୭ – କିସମ- ଜଂଗଲ – ୧.୫୫୦୦ ହେକ୍ଟର ( ପ୍ରାୟ ୪ ଏକର)

ଅର୍ଥାତ ଏହି ନଥିପତ୍ର ସ୍ପଷ୍ଟ ବୟାନ କରୁଛି ୩ଟି ପ୍ଲଟରେ ଥିବା ୨ ଦଶମିକ ୪୧୫ ହେକ୍ଟର ଜମି ବଦଳରେ ଆନ୍ଧ୍ରର ଏହି କମ୍ପାନୀ ୩୨୬ନଂ ଜାତୀୟ ରାଜପଥ କଡରେ ପ୍ରାୟ ୨୮ ଏକରରୁ ଉର୍ଦ୍ଧ ସରକାରୀ ଓ ଜଙ୍ଗଲ ଜମିରେ ବେଆଇନ ପାଚେରି ନିର୍ମାଣ କରିଛି । ଜଂଗଲ ଗୁଡିକ ମଧ୍ୟ କାଟି ସଫା କରିଦେଇଛି । ଏହି ବେଆଇନ ନିର୍ମାଣକୁ ଉଚ୍ଛେଦ କରିବାକୁ କଂଗ୍ରେସ ନେତା ପ୍ରଦୀପ ମାଝୀ ଦାବି କରିଛନ୍ତି ।

ସେପଟେ ଜଙ୍ଗଲ ଜମି ପ୍ଲଟ ନଂ ୭୬୭ରେ ଥିବା ବେଆଇନ ପାଚେରୀକୁ କେବଳ ସାମନା ପଟୁ ହଟାଇ ନାମକୁ ମାତ୍ର ସୂଚନା ଫଳକ ଲଗାଇ ଚୁପ ବସିଛି ପ୍ରଶାସନ । ସେପେଟ ଯେଉଁ ସଲଭେନ୍ସିକୁ ନେଇ ଏହି ନିର୍ମାଣାଧିନ ଗ୍ରାନାଇଟ କାରଖନା ଚର୍ଚାକୁ ଆସିଥିଲା, ତାର ବାସ୍ତବ ଚିତ୍ର ମଧ୍ୟ ଭିନ୍ନ ତଥ୍ୟ କହୁଛି । ପ୍ଲଟ ନଂ ୭୫୭/୯୪୪ ଓ ପ୍ଲଟ ନଂ ୭୫୮/୯୪୩ରେ ଯେଉଁ ୯ କୋଟି ୯୮ ଲକ୍ଷ ଟଙ୍କା କୋଠାବାଡି ଓ ପ୍ଲାଂଟ ଥିବା କଥା ଆର.ଆଇ ରିପୋର୍ଟରେ କୁହାଯାଇଥିଲା, ସେଠାରେ ଏବେ ଟିଣ ଶେଡ୍ ନିର୍ମାଣ ଚାଲିଛି । ଆଉ କଳକାରଖାନାର ଖୋଜ ଖବର ନାହିଁ । ଡଂଗର ଓ ଧାନ କିସମ ଜମିରେ ଏତେ ବଡ ନିର୍ମାଣ କେମିତି ହେଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

କେବଳ ଗ୍ରାନାଇଟ କାରଖାନା ନୁହେଁ, ବରଂ ବର୍ଷ ବର୍ଷ ଧରି ଚାବା ବେଣୁଗୋପାଲଙ୍କ ସମେତ ଆନ୍ଦ୍ର ର ଦୁଇଟି କମ୍ପାନୀ ମୋଟୁ ର ପେଟା ଠାରେ ଗ୍ରାନାଇଟ ଖନନ ଜାରି ରଖିଛନ୍ତି । ଆଉ ସେଠାରେ ମଧ୍ୟ ବ୍ୟାପକ ଅନିୟମିତତା ନେଇ କଂଗ୍ରେସ ଦଳ ଅଭିଯୋଗ କରି ଥିବା ବେଳେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଲାଗି ଦାବି ହୋଇଛି ।