ପ୍ରଥମଥର ପାଇଁ ଉତ୍ତର ପ୍ରଦେଶରେ ୨ ସଂକ୍ରମିତଙ୍କ ଠାରେ ଚିହ୍ନଟ ହେଲା କରୋନାର କପ୍ପା ଭାରିଆଣ୍ଟ, ଜଣଙ୍କର ମୃତ୍ୟୁ

121

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ କୋଭିଡ-୧୯ ର ଡେଲ୍ଟା ଭାରିଆଣ୍ଟ ପରେ ୨ ଜଣଙ୍କ ଠାରେ ଚିହ୍ନଟ ହେଲା କପ୍ପା ଭାରିଆଣ୍ଟ । ସନ୍ଥ କବୀର ନଗରରେ ଜଣେ ସଂକ୍ରମିତଙ୍କ ଠାରେ ଏହି ଭୂତାଣୁ ପ୍ରଥମେ ସଂକ୍ରମିତ ହୋଇଥିଲା । ୬୬ ବର୍ଷିୟ ଏହି ରୋଗୀ ଜଣଙ୍କର ମୃତ୍ୟୁ ହୋଇ ସାରିଛି । ଏହି ରୋଗୀ ଜଣଙ୍କ ଜୁନ ମାସରେ ଗୋରଖପୁରର ବିଆରଡି ମେଡିକାଲ କଲେଜରେ ଆଡମିଶନ ହୋଇଥିଲେ ।

ଅନ୍ୟପଟେ ଲକ୍ଷେ୍ନø ଜର୍ଜ ମେଡିକାଲ ୟୁନିଭରସିଟି ହସ୍ପିଟାଲକୁ ୧୦୯ ଟି ନମୂନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏଥିରୁ ୨ ଟି ନମୂନାରୁ କପ୍ପା ଭାରିଆଣ୍ଟ ଚିହ୍ନଟ ହୋଇଛି ।

କହିରଖୁ କି ଯେତେବେଳେ ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର କମିବାରେ ଲାଗିଛି ସେତେବେଳେ କରୋନାର ଭିନ୍ନ ଭିନ୍ନ ଭାରିଆଣ୍ଟ ଚିହ୍ନଟ ହୋଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇଛି । ବୈଜ୍ଞାନିକ ମାନଙ୍କ ମତରେ କରୋନାର ଡେଲଟା, ଅଲ୍ଫା ଓ କପ୍ପା ଭାରିଆଣ୍ଟ ଅଧିକ ସଂକ୍ରାମକ । ଉତ୍ତରପ୍ରଦେଶରେ କରୋନା କଟକଣା କୋହଳ କରାଯିବା ପରେ ଏଭଳି ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ମେଡିକାଲ କଲେଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସୂଚନା ଦିଆଯାଇଛି ।

କପ୍ପା ଭାରିଆଣ୍ଟ ବାବଦରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଅମିତ ମୋହନ ପ୍ରସାଦ କହିଛନ୍ତି କି ରାଜ୍ୟରେ ଏହା ପୂର୍ବରୁ ଜଣେ ଲୋକ ଠାରେ କପ୍ପା ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ଏହାକୁ ନେଇ ଚିନ୍ତା କରିବାର କିଛି ନାହିଁ, ଏହା କରୋନା ଭୂତାଣୁର ଏକ ରୂପ ଓ ଏହାର ଚିକିତ୍ସା ସମ୍ଭବ ବୋଲି ଅମିତ ମୋହନ ପ୍ରସାଦ କହିଛନ୍ତି ।