ଅଧରାସ୍ତାରେ ଅଟକିଲା ଆମ୍ବୁଲାନ୍ସ, ଅଚଳ ଆମ୍ବୁଲାନ୍ସରେ ୨ ଘଣ୍ଟା କାଳ ଛଟପଟ ହେଲେ ଗୁରୁତର ରୋଗୀ

67

କନକ ବ୍ୟୁରୋ: ଅଧା ବାଟରେ ଅଟକିଲା ଆମ୍ବୁଲାନ୍ସ । ଡାକ୍ତରଖାନାକୁ ଯାଇ ନପାରି ରାସ୍ତାରେ ଯନ୍ତ୍ରଣାରେ ଛଟପଟ ହେଲେ ରୋଗୀ । ପ୍ରାୟ ୨ ଘଣ୍ଟାକାଳ ଆମ୍ବୁଲାନ୍ସ ଭିତରେ ପଡିରହିଲେ ଗୁରୁତର ରୋଗୀ । ରାୟଗଡା ସହରରେ ଆଜି ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ଜଣେ ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ସ୍ଥିତ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ଦିନ ୧୨ଟା ବେଳେ ୧୦୮ ଆମ୍ବୁଲାନ୍ସ ଯୋଗେ କୋରାପୁଟ ନେବା ସମୟରେ ଆମ୍ବୁଲାନ୍ସ ରାୟଗଡ଼ା ସହରରେ ଅଟକି ଯାଇଥିଲା । ଦିନ ୧୨ଟାରୁ ୨ଟା ଯାଏଁ ଆମ୍ବୁଲାନ୍ସ ଅଟକି ରହିଥିଲା । ଗାଡିଟି ହଠାତ୍ ଖରାପ ହୋଇଯିବାରୁ ଆଗକୁ ଗଡିନଥିଲା ।

ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ୍ ଲଗାଇ ଛୋଟ ପିଲାଟି ପଡିରହିଥିଲା । ୨ ଘଂଟା କାଳ ଆମ୍ବୁଲାନ୍ସରେ ରହି ୧୧ ବର୍ଷିୟ ସାଇଜଗନ ଦାସଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । ରୋଗୀ ଜଣଙ୍କ ଅକ୍ସିଜେନ ସହାୟତାରେ ଭଙ୍ଗା ଆମ୍ବୁଲାନ୍ସ ଭିତରେ ଅଟକି ରହିଥିଲେ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ଆମ୍ବୁଲାନ୍ସ ନଥିବାରୁ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପରେ କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଠାରୁ ଆଉ ଏକ ଆମ୍ବୁଲାନ୍ସ ଆସି ରୋଗୀଙ୍କୁ କୋରାପୁର ଏସଏଲଏନ ମେଡିକାଲ କଲେଜକୁ ନିଆଯାଇଛି । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜରୁରୀ ପରିସ୍ଥିତି ପାଇଁ ଆମ୍ବୁଲାନ୍ସ ରହୁନଥିବାରୁ ବାରମ୍ବାର ଏଭଳି ଘଟଣାଘଟୁଥିବା ଅଭିଯୋଗ ହୋଇଛି ।