ସାଇବର ଠକଙ୍କ ଲୁଟ୍, କଷ୍ଟମର କେୟାର ନାଁରେ ହୋମିଓପାଥିକ୍ ଡାକ୍ତରଙ୍କଠାରୁ ନେଇଗଲେ ୯୫ ହଜାର ଟଙ୍କା। 

87

କନକ ବ୍ୟୁରୋ: କଷ୍ଟମରକେୟାର ନାଁରେ ଡାକ୍ତରଙ୍କ ଠାରୁ ଲୁଟ୍ । ସାଇବର ଠକେଇ ସମ୍ପର୍କୀତ ଖବର ଯେତେ ପ୍ରସାରଣ ହେଲେ ବି ଏହି ଠକାମି ତାଲିକା ଲମ୍ବୁଛି ସିନା କମୁନି । ପ୍ରାୟ ସବୁଦିନ କେଉଁଠି ନା କେଉଁଠି, କିଏ ନାଁ କିଏ ସାଇବର ଠକଙ୍କ ହାବୁଡରେ ପଡୁଛନ୍ତି । ଏବେ ସାଇବର ଠକଙ୍କ ଜାଲରେ ପଡିଯାଇଛନ୍ତି ବୌଦ୍ଧ ଜିଲ୍ଲାର ଜଣେ ହୋମିଓପାଥିକ୍ ଡାକ୍ତର । ଡାକ୍ତରଙ୍କ ଠାରୁ ଓଟିପି ନେଇ ୯୫ ହଜାର ଟଙ୍କା ଲୁଟି ନେଇଛନ୍ତି ଠକ ।

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଞ୍ଚଳର ହୋମିଓପାଥିକ ଡାକ୍ତର ହୃଷିକେଷ ଦାସ, ନିଜ କ୍ଲିନିକ୍ ପାଇଁ ଅନଲାଇନ୍ ଆପ୍ଲିକେସନ୍ ଜରିଆରେ ଏକ ଓଜନ ମେସିନ କିଣିଥିଲେ । ଫ୍ଲିପକାର୍ଟରୁ ଓଜନ ମେସିନ ମଗାଇଥିଲେ ଡାକ୍ତର । ସେହି ମେସିନଟି ଖରାପ ପଡିବାରୁ ତାକୁ ଫେରାଇ ଦେଇଥିଲେ । ସାମଗ୍ରୀ ଫେରାଇବାରୁ ୨ ଦିନ ଯାଏଁ ଟଙ୍କା ଫେରସ୍ତ ନଆସିବାରୁ ସେ ଗୁଗୁଲରୁ ଫ୍ଲିପକାର୍ଟ କଷ୍ଟମର କେୟାର ନମ୍ବର ଆଣି କଲ୍ କରିଥିଲେ । ହେଲେ ଜାଣିନଥିଲେ ଯେ, ଏହି କଲ୍ ତାଙ୍କ ପାଇଁ ଅସୁବିଧାର କାରଣ ହେବ । ସେହି କଲ୍କୁ ଟ୍ରାକ କରି ନେଇଥିଲେ ସାଇବର ଠକ । ଠକ, ଡାକ୍ତରଙ୍କ ସହ କଥା ହୋଇ ଏକ ଆପ୍ଲିକେସନ୍ ଡାଉନଲୋଡ କରିବାକୁ କହିଥିଲା । ତା’ କଥା ଆଧାରରେ ହୋମିଓପାଥିକ ଡାକ୍ତର ହୃଷିକେଷ ଦାସ, ଆପ୍ ଡାଉନଲୋଡ କରି, ଓଟିପି ଦେଇଥିଲେ । ବାସ୍, ଏହାପରେ ଡାକ୍ତରଙ୍କ ମୋବାଇଲ୍ ନମ୍ବର ସହ ଲିଙ୍କ ଥିବା ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ଖାଲି ହୋଇଯାଇଥିଲା ୯୪ ହଜାର ୯୯୪ ଟଙ୍କା । ସାଇବର ଠକ ୬ଟି ପର୍ଯ୍ୟାୟରେ ଆକାଉଣ୍ଟ ଖାଲି କରିଦେଇଛନ୍ତି । ଏନେଇ ହୋମିଓପାଥିକ ଡାକ୍ତର ହୃଷିକେଷ ଦାସଙ୍କ ସ୍ତ୍ରୀ ମଂଜୁଲତା ଦାସ ପୁରୁଣା କଟକ ଥାନାରେ ଅଭିଯୋଗ କରିଛନ୍ତି ।