ବୁଲା କୁକୁରଙ୍କ ଆତଙ୍କରାଜ ! ପ୍ରତିଦିନ କ୍ୟାପିଟାଲ୍ ହସ୍ପିଟାଲ ଆସୁଛନ୍ତି ୧୦୦ରୁ ଅଧିକ କୁକୁର କାମୁଡା ରୋଗୀ

52

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗତକାଲି ପୁରୀରେ କୁକୁର କାମୁଡାରେ ଏକ ୪ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଯେଉଁ ଘଟଣା ସାରା ରାଜ୍ୟରେ ଏବେ ଚର୍ଚ୍ଚା ଘେରକୁ ଆସିଛି । ବୁଲା କୁକୁର ଏତେ ଭୟଙ୍କର ହୋଇପାରେ ତାହା ବୋଧେ କେହି କଳ୍ପନା କରିନଥିବେ ।

ତେବେ ଏହି ଘଟଣା ପରେ ରିୟଲିଟି ଯାଂଚ କରିଛି କନକ ନ୍ୟୁଜ୍ । କ୍ୟାପିଟାଲ ହସ୍ପିଟାଲରେ ପ୍ରତି ଦିନ ଶହେରୁ ଦେଢଶହ କୁକୁର କାମୁଡା ରୋଗୀ ଆସୁଥିବା ଜଣାପଡିଛି । ଅନ୍ୟପଟେ ବଂଶବୃଦ୍ଧି ସହ ଖାଦ୍ୟାଭାବ ଯୋଗୁଁ ବୁଲା କୁକୁର ହିଂସ୍ରୁକ ହୋଇ ପଡୁଥିବା ବିଶେଷଜ୍ଞ କହୁଛନ୍ତି । ଏପଟେ ସରକାରଙ୍କ ବନ୍ଧ୍ୟାକରଣ ନେଇ ଉଠିଛି ପ୍ରଶ୍ନ ।

କ୍ୟାପିଟାଲ ହସ୍ପିଟାଲର ତଥ୍ୟ ଅନୁସାରେ ଡିସେମ୍ବର ୧ରେ ୧୭୧ଜଣ କୁକୁର-କାମୁଡାର ଶିକାର ହୋଇ ଚିକିତ୍ସା ପାଇଁ ଆସିଥିଲେ । ଡିସେମ୍ବର ୨ତାରିଖ ସକାଳ ୯ଟା ସୁଦ୍ଧା ୩୦ଜଣ କୁକୁର କାମୁଡାର ଶିକାର ହୋଇ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସଛନ୍ତି । ଏହି ତଥ୍ୟ କହୁଛି କେମିତି ବୁଲା କୁକୁର ଆତଙ୍କରାଜ ଚଳାଇଛନ୍ତି । କ୍ୟାପିଟାଲ ହସ୍ପିଟାଲର ଜଣେ କର୍ମଚାରୀ କହିଛନ୍ତି ପ୍ରତ୍ୟେକ ଦିନ ଶହେରୁ ଦେଢ଼ ଶହ ଲୋକ କେବଳ ରାଜଧାନୀର କ୍ୟାପିଟାଲ ହସ୍ପିଟାଲକୁ ଆସନ୍ତି କୁକୁର କାମୁଡାର ଚିକିତ୍ସାପାଇଁ ।

ପଶୁ ସମ୍ପଦ ବିକାଶ ନିର୍ଦ୍ଦେଶାଳୟର ତଥ୍ୟ ଅନୁସାରେ କେବଳ ରାଜଧାନୀ ଭୁବନେଶ୍ୱରରେ ୨୦୧୫ରେ ୨୦ହଜାର ବୁଲା କୁକୁର ଥିଲେ । ଚଳିତ ବର୍ଷ ଏହି ସଂଖ୍ୟା ୪୨ହଜାରକୁ ପହଁଚିଯାଇଛି । ଉଦବେଗର କଥା ହେଉଛି କୁକୁରଙ୍କ ସଂଖ୍ୟା କମ କରିବା ପାଇଁ ଆରମ୍ଭ ହୋଇଥିବା ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ବି ଆଶାନୁରୂପ ଭାବେ ଆଗେଇ ପାରୁନାହିଁ । ତେଣୁ ପୁରୀ ପରି ଘଟଣା ପୁଣି କେଉଁଠି ଘଟିବ ତାହା କହିହେବନି ।