ପୁଣିଥରେ ମହାସମାବେଶ ପାଇଁ ପ୍ରସ୍ତୁତି ! ପ୍ରତିଶ୍ରୁତି ପରେ ବି ଆନ୍ଦୋଳନରେ ସ୍କୁଲ କଲେଜ ଶିକ୍ଷକ

58

କନକ ବ୍ୟୁରୋ: ସ୍କୁଲ, କଲେଜ ଶିକ୍ଷକଙ୍କ ଲାଗି ସତ୍ୟପାଠର ଆବଶ୍ୟକତା ନାହିଁ ବୋଲି ମଙ୍ଗଳବାର ରାଜ୍ୟ ସରକାର ଘୋଷଣା କରିବା ପରେ ବି ଆନ୍ଦୋଳନରୁ ଓହରି ନାହାନ୍ତି ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ସେମାନେ ଦାବି କରିଛନ୍ତି। ଯେପର୍ଯ୍ୟନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରା ନ ହୋଇଛି ସେପର୍ଯ୍ୟନ୍ତ ଆନ୍ଦେଳନରୁ ଓହରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଗତକାଲି ସ୍ପଷ୍ଟ କରାଯାଇଛି ।

ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଆଗକୁ ପରୀକ୍ଷା ଥିବାରୁ ଏବେ ତରବରିଆ ଭାବେ ପ୍ରତିଶ୍ରୁତି ଦେଇ ଆନ୍ଦୋଳନ ଚପାଇବାକୁ ଉଦ୍ୟମ ହେଉଛି । ପ୍ରତିଥର ପରି ଏଥର ମଧ୍ୟ ପ୍ରତାରଣା କରିବା ଲାଗି ଏହା ଏକ ଚକ୍ରାନ୍ତ । ତେଣୁ ଦାବି ପୂରଣ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରା ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ସପ୍ତମ ବେତନ କମିସନ ଲାଗୁ, ଚାକିରି ସର୍ତ୍ତାବଳୀ ପ୍ରଦାନ ସହ ୪୦%,୬୦% ଓ ୭୫% ବ୍ଲକଗ୍ରାଣ୍ଟପ୍ରାପ୍ତ ବିଦ୍ୟାଳୟ ଓ କଲେଜକୁ ଶତ ପ୍ରତିଶତ ଦରମା ଭିତ୍ତିକ ଅନୁଦାନ ପ୍ରଦାନ କରା ନ ଗଲେ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ।

ପୁଣିଥରେ ରାଜ୍ୟ ସରକାରଙ୍କୁ ସମୟ ଦେଇଛି ମିଳିତ ମଞ୍ଚ । ଶନିବାର ସୁଦ୍ଧା ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ବିଧିବଦ୍ଧ ବିଜ୍ଞପ୍ତି ଜାରି କରନ୍ତୁ । ନ ହେଲେ ସୋମବାର ରାଜଧାନୀରେ ପୁଣିଥରେ ଶିକ୍ଷକଙ୍କ ମହାସମାବେଶ ଅନୁଷ୍ଠିତ ହେବ । ୫୦ ହଜାରରୁ ଅଧିକ ଶିକ୍ଷକ, କର୍ମଚାରୀ ସାମିଲ ହୋଇ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେବେ । ଅନ୍ୟପକ୍ଷରେ ଲୋୟର ପିଏମ୍ଜିରେ ଆନ୍ଦୋଳନରତ ଶିକ୍ଷକ, ଶିକ୍ଷୟିତ୍ରୀ ଗତକାଲି ରାସ୍ତାରେ ମହାଶିବରାତ୍ରି ପାଳନ କରିଛନ୍ତି । ଉପବାସରେ ରହିବା ସହ ଦୀପ ଜାଳିଛନ୍ତି ।