୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଅବୁ ସଲେମକୁ ୨୦୩୦ ଯାଏଁ ମୁକ୍ତି ନାହିଁ । ସୁପ୍ରିମକୋର୍ଟଙ୍କ ଆଦେଶ

192

କନକ ବ୍ୟୁରୋ: ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଗ୍ୟାଙ୍ଗଷ୍ଟର ତଥା ୧୯୯୩ ମୁମ୍ବାଇ ବିସ୍ଫୋରଣ ମାଷ୍ଟରମାଇଣ୍ଡ ଅବୁ ସଲେମକୁ ୨୦୩୦ ଯାଏଁ ମୁକ୍ତ କରାଯାଇପାରିବ ନାହିଁ । କିନ୍ତୁ ତାଙ୍କର ୨୫ ବର୍ଷର ଜେଲ ଦଣ୍ଡ ଶେଷ ହେବା ପରେ କେନ୍ଦ୍ର ସରକାର ଭାରତ ଏବଂ ପର୍ତ୍ତୁକାଲ ମଧ୍ୟରେ ହୋଇଥିବା ପ୍ରତ୍ୟର୍ପଣ ଚୁକ୍ତି ବିଷୟରେ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇପାରିବେ । ବିଚାରପତି ସଞ୍ଜୟ କିଶନ କୌଲ ଏବଂ ଏମ୍. ଏମ୍. ସୁନ୍ଦରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି ।

୧୯୯୩ ମୁମ୍ବାଇ ବିସ୍ଫୋରଣର ଅପରାଧୀ ଅବୁ ସଲେମ୍ ସୁପ୍ରିମକୋର୍ଟରେ ଦୁଇଟି ମାମଲାରେ ତାଙ୍କୁ ଦିଆଯାଇଥବା ଆଜୀବନ କାରାଦଣ୍ଡକୁ ଚ୍ୟାଲେଞ୍ଜ କରିଥିଲେ । ସେ ଦାବି କରିଛନ୍ତି ଯେ, ପର୍ତ୍ତୁଗାଲରୁ ତାଙ୍କ ପ୍ରତ୍ୟର୍ପଣରେ ଦିଆଯାଇଥିବା ସର୍ତ୍ତ ଅନୁଯାୟୀ ତାଙ୍କ ଜେଲଦଣ୍ଡ ୨୫ ବର୍ଷରୁ ଅଧିକ ହୋଇପାରିବ ନାହିଁ । ତେଣୁ ତାଙ୍କୁ ୨୦୨୭ରେ ମୁକ୍ତ କରାଯିବା ଉଚିତ ।

ହେଲେ ଏହାର ଜବାବରେ କେନ୍ଦ୍ର ସରକାର କହିଛନ୍ତି ଯେ, ସଲେମଙ୍କ ମୁକ୍ତିକୁ ବିଚାର କରିବାର ସମୟ ୨୦୨୭ ନୁହେଁ ୨୦୩୦ ଆସିବ । କାରଣ ତାଙ୍କୁ ପର୍ତ୍ତୁଗାଲରୁ ପ୍ରତ୍ୟର୍ପଣ କରାଯାଇଥିଲା । ଏବଂ ୨୦୦୫ରେ ଭାରତକୁ ଅଣାଯାଇଥିଲା । ଏନେଇ ୨୦୩୦ରେ ସରକାର ଆବଶ୍ୟକ ନିଷ୍ପତ୍ତି ନେବେ ।