ଆଇଏଏସ କ୍ୟାଡର ରୁଲ ୧୯୫୪ରେ ସଂଶୋଧନ ଚାହୁଁଛନ୍ତି ମୋଦୀ ସରକାର : ଆପତ୍ତି ଉଠାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

267

କନକ ବ୍ୟୁରୋ : ଭାରତୀୟ ପ୍ରାଶାସନିକ ସେବା- ଆଇଏଏସ କ୍ୟାଡର ରୁଲ ୧୯୫୪ରେ ସଂଶୋଧନ କରିବାକୁ ଚାହୁଁଛନ୍ତି ମୋଦୀ ସରକାର । ଫଳରେ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଆଏଏସ ଅଧିକାରୀମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଅବସ୍ଥାପିତ କରିହେବ । ମିଳିଥିବା ସୂଚନା ଅନୁସାରେ ଆଇଏଏସ କ୍ୟାଡର ରୁଲ ୧୯୫୪ର ରୁଲ ୬ରେ କେନ୍ଦ୍ର ସରକାର ଏକ ନିୟମ ଯୋଡିବାକୁ ଚାହୁଁଛନ୍ତି । ଫଳରେ ରାଜ୍ୟ ସରକାରଙ୍କ ସହ ଥିବା ଯୁଗ୍ମ ଅଧିକାର ବଳରେ କେନ୍ଦ୍ର ସରକାର ଯେକୌଣସି ସମୟରେ ଆଇଏଏସ ଅଫିସରମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇ ପାରିବେ ।

ପୂର୍ବରୁ ଏଥିପାଇଁ ରାଜ୍ୟର ଅନୁମତି ଓ ସଂପୃକ୍ତ ଆଇଏଏସ ଅଧିକାରୀଙ୍କ ସମ୍ମିତ ଆବଶ୍ୟକ ହେଉଥିଲା । ହେଲେ କେନ୍ଦ୍ର ସରକାର ଯେଉଁ ସଂଶୋଧନ ଆଣିବାକୁ ଚାହୁଁଛନ୍ତି, ତାହା ସମ୍ବିଧାନର ସଂଘୀୟ ମୌଳିକତାକୁ ନଷ୍ଟ କରୁଛି ବୋଲି କହି ଆପତି ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନୂଆ ନିୟମ ଫଳରେ ଅଫିସରମାନଙ୍କ ଭିତରେ ଭୟ ସୃଷ୍ଟି ହେବା ସହ ସେମାନଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପଡିବ ବୋଲି ମମତା ଯୁକ୍ତି କରିଛନ୍ତି । ତେଣୁ ଏହି ପ୍ରସ୍ତାବକୁ ନେଇ ଆଗକୁ ନବଢିବା ପାଇଁ ମମତା ଗତ ୧୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

କୁହାଯାଉଛି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଳ୍ପନ ବନ୍ଦୋପାଧ୍ୟାୟଙ୍କୁ ନେଇ ଯେଉଁ ବିବାଦ ସୃଷ୍ଟି ହେଲା, ତାପରେ ମୋଦୀ ସରକାର ଏଭଳି ସଂଶୋଧନ ଆଣିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ନଦେବା ଏବଂ ମୁଖ୍ୟ ସଚିବ ବିଳମ୍ବରେ ପହଂଚିବା ପ୍ରସଙ୍ଗ ବିବାଦୀୟ ହୋଇଥିଲା । ଏହାପରେ ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଆସିବା ଲାଗି ନିର୍ଦ୍ଦେଶନାମା ଜାରି ହୋଇଥିଲା । ହେଲେ ତାଙ୍କୁ ଛାଡିନଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାପରେ ଅଳ୍ପନ ବନ୍ଦୋପାଧ୍ୟାୟ ଚାକିରିରୁ ଅବସର ନେବା ସହ, ତାଙ୍କୁ ୩ ବର୍ଷ ପାଇଁ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି ମମତା ।