କରୋନା ସଂକ୍ରମଣକୁ ନେଇ ବଢିଲା ଚିନ୍ତା : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ସତର୍କ ନହେଲେ ବଢ଼ିବ ସଂକ୍ରମଣ

 ଏପଟେ ପ୍ରତିଦିନ ୧ ଲକ୍ଷ ବୟସ୍କଙ୍କ ଟିକାକରଣ ଟାର୍ଗେଟ; ଖରାକୁ ଦୃଷ୍ଟିରେ ରଖି ୭ଶହକୁ ବୃଦ୍ଧି ପାଇଲା ଟିକା କେନ୍ଦ୍ର

150

କନକ ବ୍ୟୁରୋ : ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାକୁ ଆଜି ବର୍ଷେ ପୂରିଛି । ଏହାରି ଭିତରେ କରୋନାର ପ୍ରକୋପ କମି ନ ଥିବାବେଳେ ପୁଣିଥରେ ବ୍ୟାପକ ହେବାରେ ଲାଗିଛି ସଂକ୍ରମଣ । ଦେଶରେ ୨୪ ଘଂଟାରେ ୨୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ଚିନ୍ତା ବଢାଇ ଦେଇଛି ।

ଯଦିଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି, କିନ୍ତୁ ୭ରୁ ୮ଟି ରାଜ୍ୟରୁ ପ୍ରାୟ ୮୫ ପ୍ରତିଶତ ଆକ୍ରାନ୍ତ ବାହାରୁଛନ୍ତି । ତେବେ ଏହାକୁ କରୋନାର ଦ୍ୱିତୀୟ ଲହର କହିହେବ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଦେଶରେ ଅନଲକ ପରେ ଲୋକଙ୍କ ଭିତରେ କରୋନାକୁ ନେଇ କୋହଳ ମନୋଭାବ ପ୍ରକାଶ ପାଉଛି । କିନ୍ତୁ ସଂକ୍ରମଣକୁ ଏଡାଇବାକୁ ହେଲେ ଆମକୁ ସତର୍କ ରହିବାକୁ ପଡିବ ବୋଲି ସେ ଚେତାଇ ଦେଇଛନ୍ତି ।

ସେପଟେ ରାଜ୍ୟରେ କରୋନା ଟିକାକରଣ ଜାରି ରହିଛି । ପ୍ରତିଦିନ ୧ ଲକ୍ଷ ବୟସ୍କଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ତେଣୁ ଖରା ଦିନକୁ ଦୃଷ୍ଟିରେ ରଖି ଟିକାକେନ୍ଦ୍ର ସଂଖ୍ୟା ୭ ଶହକୁ ବୃଦ୍ଧି କରାଯାଇଛି । କେବଳ ରହିବାର ଓ ସରକାରୀ ଛୁଟିକୁ ବାଦଦେଇ ଅନ୍ୟଦିନ ଗୁଡିକରେ ଟିକାକରଣ ହେବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।