ସାନିଟାଇଜର ପିଇ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ସୁବାସ, ବିଜେପି ଚୁପ୍ ରହି କଣ ଏହାକୁ ସମର୍ଥନ କରୁଛି । ସାମ୍ବାଦିକ ସମ୍ମିଳନୀରେ ସୁବାସଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ।

104

କନକ ବ୍ୟୁରୋ : ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ବିଜେଡିର ଟାର୍ଗେଟ । ସାମ୍ବାଦିକ ସମ୍ମିଳନୀରେ ସୁବାସଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ଅତନୁ କହିଛନ୍ତି, ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ରାଜ୍ୟର ଗାରିମାକୁ ନଷ୍ଟ କରିଛି ।  ସାରା ଭାରତରେ ବିରୋଧୀ ଶାସକ ଆଲୋଚନା କରନ୍ତି। ହେଲେ ଓଡ଼ିଶାରେ ପ୍ରଥମ ଥର ଏମିତି ହେଲା। ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ ।

ବର୍ତ୍ତମାନ କୋଭିଡ ସମୟ। ଘରେ ଘରେ ସାନିଟାଇଜର ଅଛି। ଲୋକଙ୍କୁ ସଚେତନ କରାଯାଉଛି ସାନିଟାଇଜର ବ୍ୟବହାର କରିବା ପାଇଁ। ହେଲେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରି ବିଜେପି ବିଧାୟକ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ।  ସାରା ଦେଶରେ ସୁବାସଙ୍କ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେଉଛି । ସେ ଜାତୀୟ ଦଳର ବିଧାୟକ ହୋଇଥିଲେ ମଧ୍ୟ ବିଜେପି ଚୁପ୍ କାହିଁକି ବସିଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅତନୁ । ଏହା ବିଧାୟକଙ୍କର ନିଜସ୍ୱ ନିଷ୍ପତ୍ତି ନା ଦଳ ଚୁପ ରହି ମଧ୍ୟ ଏହାକୁ ସମର୍ଥନ ଦେଉଛି । ବିଧାନସଭାର ପବିତ୍ରତା ନଷ୍ଟ ହୋଇଛି। ଗୃହର ମର୍ଯ୍ୟାଦା ପାଇଁ ବିଜେପି ଆଭିମୁଖ୍ୟ ସ୍ପଷ୍ଟ କରୁ। ସୁବାସଙ୍କ  ଏଭଳି ପଦକ୍ଷେପ ଆଗାମୀ ପିଢୀ ପାଇଁ ଭୁଲ ବର୍ତା ଦେଉଛି । ସାନିଟାଇଜର ଯେ ବିଷ ଭାବେ ବ୍ୟବହାର ହୋଇପାରିବ ସେଭଳି ବାର୍ତ୍ତା ଦେଇଛନ୍ତି ସୁବାସ ।  ବିଧାୟକ ଲୋକଙ୍କ ଆଦର୍ଶ। ସୁବାସ କଣ ନିଜ ନା ନିଜ ଦଳ ମାଧ୍ୟମରେ ଲୋକଙ୍କୁ ସାନିଟାଇଜର ପିଇ ଆତ୍ମହତ୍ୟା କରିବାକୁ ଶିଖାଉଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଅତନୁ ।

ତେବେ ଏହାର ଜବାବରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଆମ ଭୁଲ କୋଉଠି ରହିଲା ଯେ ଆମେ ଆମ ଷ୍ଟାଣ୍ଡ କ୍ଲିୟର କରିବୁ । ମଣ୍ଡିରୁ ଧାନ ଉଠାଇ ପାରି ନାହାଁନ୍ତି ରାଜ୍ୟ ସରକାର,  ସେଥିପାଇଁ ନବୀନ ପଟ୍ଟନାୟକ ପ୍ରଥମେ କ୍ଷମା ମାଗନ୍ତୁ । ସାନିଟାଇଜରରେ ଲୋକ ମରନ୍ତି ନାହିଁ, ଲୋକଙ୍କ ଦାବି ପୂରଣ କରିବାକୁ କେଉଁ ସ୍ତରକୁ ଯାଇପାରିବେ ତାହାର ଝଲକ ଦେଖାଇଛନ୍ତି ସୁବାସ । ଏଥିରେ ଭୁଲ କଣ ରହିଲା । ସୁବାସ ପାଣିଗ୍ରାହୀଙ୍କର ଯଦି ଭୁଲ ଅଛି, ତେବେ ତାଙ୍କୁ ସସପେଣ୍ଡ କରିଦିଅନ୍ତୁ । ତଦନ୍ତ କରନ୍ତୁ, ଥାନାକୁ ଦିଅନ୍ତୁ । ରାଜ୍ୟ ସରକାର କାହିଁକି ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ ।