ଆମେରିକା କଂଗ୍ରେସର ସହଯୋଗ ଲୋଡିଲେ ବାଇଡେନ୍: ୟୁକ୍ରେନକୁ ଆଉ ୨ ଲକ୍ଷ ୫୨ ହଜାର ଟଙ୍କାର ସହାୟତା ଦେବ ଆମେରିକା

134

କନକ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧ ୩ ମାସରେ ପହଂଚିଥିବା ବେଳେ ୟୁକ୍ରେନକୁ ଆର୍ଥିକ ସହାୟତା ବଢାଇ ଚାଲିଛି ଆମେରିକା । ୟୁକ୍ରେନକୁ ଆଉ ୩୩ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୨ ଲକ୍ଷ ୫୨ ହଜାର କୋଟି ଟଙ୍କାର ସହାୟତା ଯୋଗାଇଦେବାକୁ ଆମେରିକା କଂଗ୍ରେସର ସହଯୋଗ ଲୋଡିଛନ୍ତି ଜୋ ବାଇଡେନ୍ ।

ୟୁକ୍ରେନକୁ ଋଷ ସହ ଲଢିବା ପାଇଁ ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଉ ୩୩ ମିଲିୟନ ଡଲାରର ସହାୟତା ପ୍ରଦାନ ପାଇଁ କଂଗ୍ରେସର ସମର୍ଥନ ଲୋଡିଛନ୍ତି । ଯେଉଁଥିରେ ୨୦ ବିଲିୟନ ଡଲାର ଅବା ଦେଢ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର, ବନ୍ଧୁକ, ଗୁଳି ଏବଂ ଅନ୍ୟାନ୍ୟ ମିଲିଟାରୀ ସହାୟତା ଅଛି । ଏଥିସହ ୟୁକ୍ରେନର ଆର୍ଥିକ ସ୍ଥିତିର ସୁଧାର ପାଇଁ ୮ ଦଶମିକ୍ ୫ ବିଲିୟନ ଡଲାର ଅବା ୬୪ ହଜାର କୋଟି ଟଙ୍କାର ସିଧା ସଳଖ ଆର୍ଥିକ ସହାୟତା ପଠାଇଛି । ଏହାଛଡା ମାନବିକତା ଦୃଷ୍ଟିକୋଣରୁ ୩ ବିଲିୟନ ଡଲାର ଅବା ୨୨ ହଜାର କୋଟିର ସହାୟତା ପଠାଇବାକୁ ପ୍ରସ୍ତାବ ଦେଇଛନ୍ତି ବାଇଡେନ୍ ।

ହ୍ୱାଇଟ୍ ହାଉସରେ ବାଇଡେନ କହିଛନ୍ତି ୟୁକ୍ରେନର ସ୍ୱାଧୀନତା ଲଢେଇ ପାଇଁ ଏହି ବିଲର ଆବଶ୍ୟକତା ରହିଛି । ଏହି ଯୁଦ୍ଧର ପାଉଣା ଶସ୍ତା ନୁହେଁ । ଅକ୍ରୋଶମୂଳକ ଆକ୍ରମଣ ବ୍ୟୟବହୁଳ ହେବ ବୋଲି ସେ କହିଛନ୍ତି । ସହାୟତା ପାଇଁ ବାଇଡେନଙ୍କ ଅନୁରୋଧ ପରେ ଖୁସୀ ବ୍ୟକ୍ତି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦାମିର ଜେଲେନସ୍କି । ଆମେରିକାବାସୀ ଏବଂ ବ୍ୟକ୍ତଗତ ଭାବେ ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜେଲେନସ୍କି ।କଂଗ୍ରେସ ଖୁବଶିଘ୍ର ଏଥିପାଇଁ ସ୍ୱୀକୃତି ପ୍ରଦାନ କରିବ ବୋଲି ଆଶାବାଦୀ ଥିବା କହିଛନ୍ତି ଜେଲେନସ୍କି ।

ଆମେରିକା ଏବଂ ୟୁରୋପିଓ ଦେଶ ୟୁକ୍ରେନକୁ ସହାୟତା ପାଇଁ ସିଧା ସଳଖ ସେନା ପଠାଉ ନ ଥିଲେ ମଧ୍ୟ କିଭ୍କୁ ଆଂଟି ଏୟାରକ୍ରାଫ୍ଟ, ଆଂଟି ଟ୍ୟାଙ୍କ ମିଶାଇଲ, ଡ୍ରୋନ୍ ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପଠାଉଛନ୍ତି । ଯାହା ଶକ୍ତିଶାଳୀ ଋଷ ସହ ଲଢିବା ପାଇଁ ୟୁକ୍ରେନକୁ ବଳ ଯୋଗାଉଛି । ୟୁକ୍ରେନକୁ ଆମେରିକା ସହାୟତା ଯୋଗାଉଥିବାରୁ ଯୁଦ୍ଧ ଶେଷ ହେବାରେ ବିଳମ୍ବ ହେଉଛି । କିନ୍ତୁ ଆମେରିକାର ଏହି ସହାୟତା ୠଷର ବିଜୟକୁ ରୋକିପାରିବ କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ ।